fbpx

୧୪୨ ବର୍ଷରେ ସବୁଠୁ ଗରମ ମାସ ଜୁଲାଇ, ଇତିହାସର ୧୦ଟି ଗରମ ବର୍ଷରେ ସାମିଲ୍ ହେବ ୨୦୨୧

ଓଡ଼ିଶା ଭାସ୍କର ବ୍ୟୁରୋ: ମୌସୁମୀର ନିୟମିତ ବର୍ଷା ଏ ଯାଏଁ ମିଳିନି ଓଡ଼ିଶାକୁ । ଧାରା ଶ୍ରାବଣ ମାସ ବୋଲି ଯାହା କୁହାଯାଏ, ତାହା ଚଳିତ ବର୍ଷ ଭୁଲ୍ ବୋଲି ପ୍ରମାଣିତ କରିଦେଇଛି । ଫ୍ୟାନ୍-ଏସି ନଦେଲେ ସମ୍ଭାଳି ହେଉନି ଗରମ, ସବୁରି ମୁହଁରେ ଏଭଳି କଥା । ବାସ୍ତବରେ ଏଯାଏଁ ତାତିର ପ୍ରଭାବ କମିନଥିଲାବେଳେ ଜୁଲାଇ ମାସ ସମ୍ପର୍କରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ସମସ୍ତଙ୍କ ମଥା ଘୂରାଇ ଦେଉଛି । ବିଗତ ୧୪୨ ବର୍ଷ ମଧ୍ୟରେ ଗତ ଜୁଲାଇ ସବୁଠୁ ଅଧିକ ଗରମ ମାସ ରହିଥିଲା । ଏଥିସହ ଇତିହାସର ୧୦ଟି ପ୍ରମୁଖ ଗରମ ବର୍ଷ ମଧ୍ୟରେ ୨୦୨୧ ସାମିଲ୍ ହେବ ବୋଲି ଜଣାପଡ଼ିଛି ।

ବିଶ୍ୱ ତାପାୟନ (ଗ୍ଲୋବାଲ୍ ୱାର୍ମିଂ) ଓ ଜଳବାୟୁ ପରିବର୍ତ୍ତନର ମହାପ୍ରଭାବ ବିଶ୍ୱବାସୀଙ୍କୁ ଭୋଗିବାକୁ ପଡୁଛି । ଏହାର ପ୍ରଭାବରେ ଜୁଲାଇ ୨୦୨୧ ଇତିହାସର ସବୁଠୁ ଅଧିକ ଗରମ ହେଉଥିବା ମାସ ପାଲଟିଗଲା । ବିଗତ ୧୪୨ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଗଲା ୨୦୨୧ରେ । ଏ ସମ୍ପର୍କରେ ଆମେରିକାର ନ୍ୟାସନାଲ୍ ଓସୋନିକ୍ ଆଣ୍ଡ୍ ଅଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ସବିଶେଷ ତଥ୍ୟ ପ୍ରକାଶ ପାଇଛି । କ୍ଲାଇମେଟ୍ ଚେଞ୍ଜ୍ ସମ୍ପର୍କରେ ଅନୁଧ୍ୟାନ କରୁଥିବା ଇଣ୍ଟରଗଭର୍ଣ୍ଣମେଣ୍ଟାଲ୍ ପ୍ୟାନେଲ୍ ପକ୍ଷରୁ ନିକଟରେ କୁହାଯାଇଛି ଯେ ଦୀର୍ଘକାଳୀନ ପରିବର୍ତ୍ତନର ପ୍ରଭାବ ଆମ ବିଶ୍ୱ ଉପରେ ପଡୁଛି । ଏହି କାରଣରୁ ଅଧିକ ଗରମ ଅନୁଭୂତ ହେଉଛି । ସେହିପରି ଏନଓଏଏର ଜଣେ ଅଧିକାରୀ ରିକ୍ ସ୍ପିନରାଡ୍ କହିଛନ୍ତି ଯେ ସାଧାରଣତଃ ଜୁଲାଇରେ ବର୍ଷର ସବୁଠୁ ଅଧିକ ଗରମ ହୋଇଥାଏ କିନ୍ତୁ ୨୦୨୧ ଜୁଲାଇ ସର୍ବକାଳୀନ ରେକର୍ଡ କରିଦେଇଛି । ଇତିହାସରେ ସବୁଠୁ ଗରମ ମାସ ଭାବେ ପ୍ରମାଣିତ ହୋଇଯାଇଛି । ଏହି ତଥ୍ୟ ଜଳବାୟୁ ପରିବର୍ତ୍ତନକୁ ନେଇ ରହିଥିବା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଖାଲି ସେତିକି ନୁହେଁ, ବିଶ୍ୱ ବିଘଟନ ପ୍ରକ୍ରିୟା ଆଡ଼କୁ ଗତି କରୁଥିବା ଆଶଂକା କରାଯାଉଛି ।

Global Warming and human waste ,Pollution Concept - Sustainability.  showing the effect of arid land with tree changing environment, Concept of climate change. Sky background, different weather

ପଛରେ ପଡ଼ିଗଲା ୨୦୧୬ ଜୁଲାଇ

ବିଂଶ ଶତାବ୍ଦୀରେ ସ୍ଥଳଭାଗରେ ହାରାହାରି ତାପମାତ୍ରା ୧୫.୮ ଡିଗ୍ରୀ ଥିବାବେଳେ ପୃଥିବୀରେ ସମାହିତ ଜଳଭାଗର ତାପମାତ୍ରା ୦.୯୩ ଡିଗ୍ରୀ ରହିଥିଲା । ଏପରିକି ଜୁଲାଇ ୨୦୧୬ରେ କରାଯାଇଥିବା ରେକର୍ଡଠାରୁ ଗତ ଜୁଲାଇ ୦.୦୧ ଡିଗ୍ରୀ ସେଲସିଅସ୍ ଅଧିକ ରହିଥିଲା । ସେହିପରି ୨୦୧୯ ଓ ୨୦୨୦ରେ ମଧ୍ୟ ଜୁଲାଇର ତାପମାତ୍ରା ୨୦୧୬ ସ୍ତର ପାଖାପାଖି ରହିଥିଲା ।

ଏସିଆରେ ୧୧ବର୍ଷର ରେକର୍ଡ ଭାଙ୍ଗିଲା

ଜୁଲାଇ ୨୦୨୧ ଏସିଆରେ ସବୁଠୁ ଗରମ ମାସ ଭାବେ ରେକର୍ଡ କରାଯାଇଛି । ଏହା ପୂର୍ବରୁ ୨୦୧୦ରେ ତାପମାତ୍ରା ସବୁଠୁ ଅଧିକ ରହିଥିଲା । ଆମେରିକୀୟ ଅଧିକାରୀ ସ୍ପିନରେଡ୍ କହିଛନ୍ତି ଯେ ସାରା ବିଶ୍ୱର ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନକୁ ନେଇ ଏଭଳି ନୂଆ ତଥ୍ୟରେ ଉପନୀତ ହୋଇଛନ୍ତି । ଯାହା କି ମାନବ ସଭ୍ୟତା ପାଇଁ ଘାତକ ସାବ୍ୟସ୍ତ ହେବାକୁ ଯାଉଛି । ପରିବେଶ ଓ ପରିବର୍ତ୍ତନର ସନ୍ଧିକ୍ଷଣରେ ମାନବ ସମାଜ ଗମ୍ଭୀର ସମସ୍ୟା ସାମ୍ନା କରିବାକୁ ଯାଉଛି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଗ୍ରୀନହାଉସ୍ ଗ୍ୟାସ୍ ନିଷ୍କର୍ସ କମାଇବାକୁ ହବ

ରିପୋର୍ଟ ଅନୁସାରେ ଆସନ୍ତା ୧୦ ବର୍ଷ ମଧ୍ୟରେ ଗ୍ଲୋବାଲ୍ ୱାର୍ମିଂ ୧.୫ ଡିଗ୍ରୀ ସେଲସିଅସ୍ ହାର କିମ୍ବା ତାଠାରୁ ଅଧିକ ହୋଇପାରେ । ଏଥିପାଇଁ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ତ୍ୱରିତ୍ ଭାବେ କମାଇବାକୁ ହିଁ ହେବ । ଯଦି ଏଥିରେ ବିଫଳ ହୁଅନ୍ତି, ତେବେ ତାପାମାତ୍ରା ୧.୫ରୁ ୨ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ । ଆଉ ସେଭଳି ପରିସ୍ଥିତିର ସାମ୍ନା କରିବା ମଣିଷ ସମାଜ ପାଇଁ ଅସହ୍ୟ ହୋଇପଡ଼ିବ ।

Get real time updates directly on you device, subscribe now.