fbpx

ଅଗଷ୍ଟରେ ନାହିଁ ବଡ଼ ବର୍ଷା, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେବା ଏବେ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟରେ ଗଜା ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଆଇଏମ୍‌ଡ଼ି ଡିଜିଙ୍କ ଏଭଳି ଆଶଙ୍କା ରାଜ୍ୟର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନର ବାୟୁମଣ୍ଡଳ ସ୍ଥିତିକୁ ଦେଖିଲେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ । ୫ ଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାର କୌଣସି ସ୍ଥିତି ଦେଖାଯାଉନାହିଁ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହା ପରେ ହୁଏତ କିଛି ପରିବର୍ତ୍ତନ ହୋଇପାରେ । ସେପ୍ଟେମ୍ବର ମାସରେ କିଭଳି ବର୍ଷା ହେବ, ତା’ର ଆକଳନ ଅଗଷ୍ଟ ୩୧ ତାରିଖ କିମ୍ବା ସେପ୍ଟେମ୍ବର ପହିଲାରେ କରାଯିବ ।

ସେ କହିଛନ୍ତି ଯେ ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି । କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫% ରହିଛି । ରାଜ୍ୟରେ ମୋଟ ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । କେବଳ କୋରାପୁଟ, ମାଲକାନଗିରି, ନୂଆପଡ଼ା ଛାଡ଼ି ସବୁଠି ନିଅଣ୍ଟିଆ ବର୍ଷା ହୋଇଛି । ପୂର୍ବରୁ ଅଗଷ୍ଟ ମାସରେ ୪ରୁ ୫ ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ । ଏଥର ମାତ୍ର ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କମ୍‌ ଲଘୁଚାପ କ୍ଷେତ୍ର ପାଇଁ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ସେ କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ମୌସୁମୀ ବାୟୁ ଥିବା ସମୟରେ ଲଗୁଚାପ ଜନିତ ବର୍ଷା ହିଁ ଅଧିକ ହୋଇଥାଏ । ପରିସଂଖ୍ୟାନ ଦେଖିଲେ ବର୍ଷକୁ ପ୍ରାୟ ୧୩ଟି ଲଘୁଚାପ କ୍ଷେତ୍ର ଏହି ସ୍ଥାନରେ ସୃଷ୍ଟି ହୋଇଥାଏ ଓ ଓଡ଼ିଶାକୁ ବର୍ଷା ଦେଇଥାଏ । ଏଥର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ନଥିବାରୁ ବର୍ଷା ହେଲା ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.