ଚେତାବନୀ ସହିତ ବିନେଶଙ୍କ ଉପରୁ ଉଠିଲା ବାସନ୍ଦାଦେଶ; ଏମିତି କହିଲା WFI

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ବିନେଶ ଫୋଗତଙ୍କ ଉପରୁ ଉଠିଛି ନିଲମ୍ବନ ଆଦେଶ । ତେବେ ବିନେଶଙ୍କୁ କଡା ଚେତାବନୀ ଦେଇଛି କୁସ୍ତି ମହାସଂଘ । କୁସ୍ତି ମହାସଂଘ କହିଛି ନିଲମ୍ବନ ଉଠିଥିଲେ ମଧ୍ୟ ଭବିଷ୍ୟତରେ ନିୟମ ଉଲ୍ଲଂଘନ କଲେ ସାରା ଜୀବନ ପାଇଁ ନିଲମ୍ବିତ କରାଯିବ । ଏହା ସହିତ ବିନେଶଙ୍କ ବିଶ୍ୱ କୁସ୍ତି ଚାମ୍ପିଅନଶିପ ଅଂଶଗ୍ରହଣ ଆଶା ବୃଦ୍ଧି ପାଇଛି । ତେବେ ଜାତୀୟ କ୍ୟାମ୍ପରେ ଅଂଶଗ୍ରହଣ କଲେ ହିଁ ବିଶ୍ୱ କୁସ୍ତି ଚାମ୍ପିଅନଶିପ ପାଇଁ ଖେଳାଳିଙ୍କୁ ବିଚାରକୁ ନିଆଯିବ ବୋଲି କୁସ୍ତି ମହାସଂଘ ପ୍ରକାଶ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ବିନେଶ ଟୋକିଓ ଅଲିମ୍ପିକ୍ସ ଭିଲେଜରେ ଭାରତୀୟ ଆଥଲେଟଙ୍କ ସହିତ ରହିନଥିବା ବେଳେ ଭାରତୀୟ ଟି ସାର୍ଟ ମଧ୍ୟ ପିନ୍ଧିନଥିଲେ । ଏହି କାରଣ ପାଇଁ ବିନେଶଙ୍କୁ ସମାଲୋଚନା କରାଯିବା ସହିତ ତାଙ୍କୁ ବାସନ୍ଦ ମଧ୍ୟ କରାଯାଇଥିଲା । ଭାରତର ଅନ୍ୟତମ ପଦକ ଆଶା ରହିଥିବା ବିନେଶ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ପଦକରୁ ବଞ୍ଚିତ ହୋଇଥିଲେ ।