fbpx

ନୀରଜଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ; ସୁନା ପୁଅଙ୍କୁ ସେନାର ଉପହାର

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ନୀରଜ ଚୋପ୍ରାଙ୍କ ନାମରେ ପୁଣେର ଆର୍ମି ଷ୍ଟାଡିୟମକୁ ନାମିତ କରାଯାଇଛି । ଦେଶର ଏହି ସୁନାପୁଅର ସମ୍ମାନରେ ସେନା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ନୀରଜଙ୍କ ନାମରେ ଏହି ଷ୍ଟାଡିୟମକୁ ନାମିତ କରିଛନ୍ତି । ସ୍ଥଳସେନା ଜେନେରାଲ ଏମ ଏମ ନରାୱଣେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ସେନାର ସମସ୍ତ ଖେଳାଳିଙ୍କୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ସମ୍ମାନିତ କରିଥିଲେ ।

ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କ ନାମରେ ଷ୍ଟାଡିୟମକୁ ନାମିତ କରାଯାଇଥିଲା । ନୀରଜଙ୍କୁ ଏକ ଜାଭେଲିନର ପ୍ରତିକୃତି ମଧ୍ୟ ଉପହାର ସୂତ୍ରରେ ପ୍ରଦାନ କରାଯାଇଥିଲା । ନୀରଜ ନିଜ ଟ୍ୱିଟ୍ଟର ଆକାଉଣ୍ଟରେ ରାଜନାଥ ସିଂ ଓ ଆର୍ମି ଜେନେରାଲ ଏମ ଏମ ନରାୱଣେଙ୍କ ସହିତ ଫଟୋ ଶେୟାର କରିଥିଲେ । ଭାରତୀୟ ସେନା ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସମ୍ମାନ ପାଇଁ ସେ କୃତଜ୍ଞ । ଏଏସଆଇ ପୁଣେର ଏହି ପଦକ୍ଷେପ ଭବିଷ୍ୟତରେ ଅନେକ ଆଥଲେଟଙ୍କୁ ଉତ୍ସାହିତ କରିବ ବୋଲି ନୀରଜ ଲେଖିଛନ୍ତି । ନୀରଜଙ୍କ ବ୍ୟତୀତ ତରୁଣଦୀପ ରାୟ, ପ୍ରବୀଣ ଯାଦବ, ଅମିତ ପାଙ୍ଘଲ, ମନୀଷ କୌଶିକ, ସତୀଶ କୁମାର, ସିଏ କୁଟ୍ଟାପ୍ପା, ଛୋଟେଲାଲ ଯାଦବ, ଦୀପକ ପୁନିଆ, ଅର୍ଜୁନ ଲାଲ ଜାଟ , ଅରବିନ୍ଦ ସିଂ ଓ ବିଷ୍ଣୁ ସର୍ବାନନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.