fbpx

ସେପ୍ଟେମ୍ବର ୫ରୁ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଉତ୍ସବ-୨୦୨୧, ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ପ୍ରଦାନ କରାଯିବ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ସେପ୍ଟେମ୍ବର ୫ ରୁ ୯ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଉତ୍ସବ-୨୦୨୧ । ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଏହି ଉତ୍ସବ ଲାଗି ଚଳିତ ବର୍ଷ ପୁରସ୍କାର ଘୋଷଣା ହୋଇଛି । ଜୀବନବ୍ୟାପୀ ସାଧନା ଲାଗି ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କ ପ୍ରଦାନ କରାଯିବ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ । ପୁରସ୍କାର ସ୍ୱରୂପ ତାଙ୍କୁ ୧ ଲକ୍ଷ ଟଙ୍କା, ଉତ୍ତରୀୟ, ସ୍ମୃତିଫଳକ ପ୍ରଦାନ କରାଯିବ । ସେହିପରି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆରୁଷୀ ମୁଦଗଲ୍‌ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ସେମାନଙ୍କ ସାଧନାର ସ୍ୱୀକୃତି ସ୍ୱରୂପ ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବ । ଏନେଇ ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ଏହି ଉତ୍ସବକୁ ଗୁରୁମା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି । ମହାମାରୀ କରୋନା କଟକଣା ପାଇଁ ଦର୍ଶକ ଏବଂ ଶ୍ରୋତାମଣ୍ଡଳୀ ଡିଜିଟାଲ୍‌ ମାଧ୍ୟମ ଯଥା ‘ସୃଜନ’ର ଫେସ୍‌ବୁକ୍‌ ଏବଂ ୟୁଟ୍ୟୁବ୍‌ ମାଧ୍ୟମରେ ପ୍ରତି ସନ୍ଧ୍ୟା ସାଢ଼େ ୭ଟାରେ ଉତ୍ସବକୁ ଉପଭୋଗ କରିପାରିବେ । ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଶର୍ମିଳା ମୁଖାର୍ଜୀଙ୍କ ଓଡ଼ିଶୀ, ସଙ୍ଗୀତା ଶଙ୍କରଙ୍କ ବେହେଲା, ଦ୍ୱିତୀୟ ସନ୍ଧ୍ୟାରେ ଅନିତା ମଲ୍ଲିକଙ୍କ ଭାରତନାଟ୍ୟମ୍‌, ରୂପକ କୁମାର ପରିଡ଼ାଙ୍କ ଓଡ଼ିଶୀ ସଙ୍ଗୀତ, ତୃତୀୟ ସନ୍ଧ୍ୟାରେ ଅନ୍ୱେଶା ମହାନ୍ତଙ୍କ ସତ୍ରୀୟା, ମଞ୍ଜୁଶା ପାଟିଲଙ୍କ ହିନ୍ଦୁସ୍ଥାନୀ ସଙ୍ଗୀତ, ଚତୁର୍ଥ ସନ୍ଧ୍ୟାରେ ନିକିତା ବନୱାଲିକରଙ୍କ କଥକ ଓ ଅଭିରାମ ନନ୍ଦଙ୍କ ବଂଶୀ ବାଦନ, ପଞ୍ଚମ ତଥା ଉଦ୍‌ଯାପନୀ ସନ୍ଧ୍ୟାରେ ପୁରସ୍କାର ସହ ‘ସୃଜନ’ର କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ । ଏହି ପୂରା କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଓ ପରିଚାଳନାରେ ଶ୍ରୀ ମହାପାତ୍ର ଥିଲାବେଳେ ସହାୟତା କରୁଛନ୍ତି ଯୁବ ଆଲୋକ ପରିଚାଳକ ଦେବୀପ୍ରସାଦ ମିଶ୍ର ।

Get real time updates directly on you device, subscribe now.