fbpx

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଭାଇରାଲ ହେଉଛି ସୁଶାନ୍ତ ସିଂହ ରାଜପୁତଙ୍କ ସହ ତାଙ୍କର ପୁରୁଣା ଫଟୋ

ମୁମ୍ବାଇ: ଟିଭି ଓ ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ବିଗ୍ ବସ୍ ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅଚାନକ୍ ମୃତ୍ୟୁ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ହାର୍ଟ ଆଟାକ୍ ଯୋଗୁଁ ୧୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ସମତେ ଲକ୍ଷାଧିକ ପ୍ରଶଂସକଙ୍କୁ ମଧ୍ୟ ଗଭୀର ଆଘାତ ଦେଇଛି । ଆଜି ସିଦ୍ଧାର୍ଥ ଶୁକ୍ଲାର ଅନ୍ତିମ ସଂସ୍କାର ହେବ । ଏହି ସମୟରେ ସ୍ୱର୍ଗତ ଅଭିନେତାଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ କିଛି ୟୁଜର ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ସୁଶାନ୍ତ ସିଂ ରାଜପୁତଙ୍କ ସହ ଫଟୋ ସେୟାର କରୁଛନ୍ତି ।

ଏହି ଫଟୋରେ ଦୁହେଁ ସିଦ୍ଧାର୍ଥ ଶୁକ୍ଲା ଓ ସୁଶାନ୍ତ ସିଂହ ରାଜପୁତ ହସି ହସି ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି କୁହାଯାଉଛି ଯେ, କିଭଳି ଗୋଟିଏ ବର୍ଷ ମଧ୍ୟରେ ଉଭୟ କଳାକାର ଅକାଳରେ ମରିଗଲେ । ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ୧ ବର୍ଷ ପୂର୍ବେ ଅର୍ଥାତ୍ ଜୁନ୍ ୨୦୨୦ ରେ ହୋଇଥିଲା । ଅନ୍ୟପଟେ ସିଦ୍ଧାର୍ଥ ଶୁକ୍ଲା ଗୁରୁବାର ଅର୍ଥାତ୍ ୨ ସେପ୍ଟେମ୍ବର ୨୦୨୧ ରେ ଦୁନିଆକୁ ଅଲବିଦା କହିଛନ୍ତି । ସୁଶାନ୍ତ ଏବଂ ସିଦ୍ଧାର୍ଥଙ୍କ ଆଉ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ସମାନ ପୋଜ୍ ଦେଉଥିବାର ନଜର ଆସିଛନ୍ତି ।

ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ୧୪ ଜୁନ୍ ୨୦୨୦ ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ମିଳିଥିଲା । ଅଭିନେତାଙ୍କ ମୃତ୍ୟୁ ହେତୁ ପ୍ରଶଂସକଙ୍କ ସମତେ ପୁରା ବଲିଉଡ ଇଣ୍ଡଷ୍ଟ୍ରିରେ ହଙ୍ଗାମା ହୋଇଥିଲା, ଯାହାର ପ୍ରଭାବ ଆଜିଯାଏଁ ବି ରହିଛି । ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ରାକେଟ୍ ଖୁଲାସା ପରେ ବି ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି । ଅନ୍ୟପଟେ ହାର୍ଟ ଆଟାକ୍ ଯୋଗୁଁ ସିଦ୍ଧାର୍ଥ ଶୁକ୍ଲାଙ୍କର ମୃତ୍ୟୁ ହୋଇଛି । ପୋଲିସ ସୂତ୍ର ଅନୁସାରେ ସିଦ୍ଧାର୍ଥ ଗୁରୁବାର ସକାଳ ୩ଟା ୩୦ ସମୟରେ ଉଠିଥିଲେ । ଛାତି ଯନ୍ତ୍ରଣା ହେଉଥିବା ଅଭିନେତା ତାଙ୍କ ମା’ଙ୍କୁ କହିଥିଲେ । ଗୁରୁବାର ଦିନ ତାଙ୍କର ପୋଷ୍ଟମର୍ଟମ ୪ ଘଣ୍ଟା ଧରି ଚାଲିଥିଲା । ଆଜି ସକାଳ ୧୧ ଟାରେ ସିଦ୍ଧାର୍ଥଙ୍କ ମୃତଦେହ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ଏହା ପରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର ହେବ ।

Get real time updates directly on you device, subscribe now.