fbpx

ତୃତୀୟ ଶିଶୁର ହେବନି ଫ୍ରୀ ଡେଲିଭେରୀ, ନଗର ନିଗମ ଆଣିବାକୁ ଯାଉଛି ନୂଆ ନିୟମ

ଅହମଦାବାଦ୍: ଦେଶରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଲଗାତର ଭାବରେ ଅନେକ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହା ଭିତରେ ଗୁଜୁରାଟର ଅହମଦାବାଦ୍ ମ୍ୟୁନିସିପାଲ୍ କର୍ପୋରେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଏହି ନିଷ୍ପତି ଅନୁସାରେ, ଦୁଇଟି ଶିଶୁ ଜନ୍ମ ହେବାପରେ ତୃତୀୟ ଶିଶୁର ଫ୍ରୀ ଡେଲିଭେରୀ ସୁବିଧା ମିଳିବ ନାହିଁ । ଅର୍ଥାତ୍ ତୃତୀୟ ଶିଶୁର ଜନ୍ମ ବେଳେ ସବୁ ପ୍ରକାର ଦେୟ ଦେବାକୁ ହେବ ।

ତେବେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଏପରି କିଛି ନିୟମ ତିଆରି ହୋଇନାହିଁ । କିନ୍ତୁ ଅହମଦାବାଦ୍ ନଗର ନିଗମ(ଏଏମସି) ରେ କ୍ଷମତାରେ ଥିବା ବିଜେପି ନେତା ଭାସ୍କର ଭଟ ବୋର୍ଡ ବୈଠକରେ ନିଗମ ଦ୍ୱାରା ପରିଚାଳିତ ଡାକ୍ତରଖାନା ଗୁଡ଼ିକରେ ଗର୍ଭବତୀ ମହିଳାଙ୍କ ପାଇଁ ମାଗଣା ସୁବିଧା ସୀମିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଶୀଘ୍ର ଅନୁମୋଦନ ପାଇପାରେ ।

ଭାସ୍କର ଭଟ୍ଟ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଅହମଦାବାଦ୍ ରେ ଜନସଂଖ୍ୟା ବଢ଼ିବାରେ ଲାଗିଛି । ବାହାର ଅଞ୍ଚଳ୦ରୁ ଲୋକ ଆସି ଏଠାରେ ରହିବାକୁ ଲାଗିଛନ୍ତି । ଯେତେବେଳେ ଦେଶ ସ୍ୱାଧୀନ ହୋଇଥିଲା ସେ ସମୟରେ ଏଠାରେ ୩୫ କୋଟି ଲୋକଥିଲେ । ହେଲେ ଆଜି ଏହା ବୃଦ୍ଧି ପାଇ ୧୨୫ କୋଟି ହୋଇଯାଇଛି । ତେଣୁ ଜନସଂଖ୍ୟା ନିୟନ୍ତ୍ରଣ କରିବା ନିହାତୀ ଆବଶ୍ୟକ । ଏହାକୁ ନେଇ ବୈଠକରେ ପ୍ରସ୍ତାବ ରଖାଯାଇଥିଲା ।

ଦୁଇରୁ ଅଧିକ ପିଲା ଥିବା ପ୍ରାର୍ଥୀଙ୍କୁ ଗୁଜୁରାଟରେ ସ୍ଥାନୀୟ ନିର୍ବାଚନରେ ଭାଗ ନେବାକୁ ବାରଣ କରିବା ପରେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ‘ହମ୍ ଦୋ ହମାରେ ଦୋ” ଫର୍ମୁଲା ଆପଣାଇବାକୁ ନିଷ୍ପତି ନେଇଛି । ଯଦି ଏହି ପ୍ରସ୍ତାବ ଅନୁମୋଦନ ହୁଏ, ତେବେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ପ୍ରଥମ ମ୍ୟୁନିସିପାଲିଟି କର୍ପୋରେସନ୍ ହେବ ଯେଉଁଠାରେ ଏହିପରି ନିୟମ ଲାଗୁ ହେବ।

Get real time updates directly on you device, subscribe now.