fbpx

ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ୱିତୀୟ ଝଟ୍‌କା, ଦମ୍‌ଦାର୍‌ ବିଜୟ ହାସଲ କଲା କୋଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି: ଓପନର ଭେଙ୍କଟେଶ ଆୟାର ଓ ରାହୁଲ ତ୍ରିପାଠୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ଗୁରୁବାର ଦିନ ଏଠାରେ ଅନୁଷ୍ଠିତ ଚଳିତ ଆଇପିଲର ଦ୍ୱିତୀୟ ଭାଗର ପଞ୍ଚମ ମ୍ୟାଚରେ ପାଞ୍ଚଥର ଟାଇଟଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ପରାସ୍ତ କରି ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି । ସେହିପରି ଗତ ରବିବାର ଦିନ ଚେନ୍ନାଇ ସୁର କିଙ୍ଗସ ଠାରୁ ପରାସ୍ତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ପରାଜୟ ସହିତ ପଏଣ୍ଟ ଟେବୁଲର ତଳକୁ ଖସି ଆସିଛି ।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ କରିଥିବା ୧୫୬ ରନ ଟାର୍ଗେଟକୁ କୋଲକାତା ନାଇଟ ରାଇଡର୍ସ ୩ ୱିକେଟ ହରାଇ ୧୫.୧ ଓଭରରେ ୧୫୯ ରନ କରି ସହଜ ବିଜୟ ହାସଲ କରି ନେଇଥିଲା । ଓପନର ଶୁଭମନ ଗିଲ ୧୩, ଭେଙ୍କଟେଶ ଆୟାର ୪ ଚୌକା ଓ ୩ ଛକା ବଳରେ ୩୦ ବଲରୁ ୫୩ ଓ ଅଧିନାୟକ ଇଓନ ମୋର୍ଗାନ ୭ ରନ କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପେଠୀ ୩ ଛକା ଓ ୮ ଚୌକା ବଳରେ ୪୨ ବଲରୁ ଅପରାଜିତ ୭୪ ରନ କରି ଦଳର ବିଜୟ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମରା ଏକମାତ୍ର ସଫଳ ବୋଲର ଭାବେ ୩ ୱିକେଟ ଅକ୍ତିଆର କରିଥିବା ବେଳେ ଅନ୍ୟ ବୋଲର ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।

ଟସ୍‌ ଜିତିବା ପରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଓନ ମୋର୍ଗାନ ପ୍ରଥମେ ଫିଲ୍ଡିଂ କରିବା ନିଷ୍ପତ୍ତି ନେଇଥିଲେ । ଗତ ରବିବାର ଦିନ ଅନୁଷ୍ଠିତ ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷ ଆଇପିଏଲ ଦ୍ୱିତୀୟ ଭାଗର ପ୍ରଥମ ମ୍ୟାଚ ଖେଳି ପାରି ନ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ ଖେଳିବା ସଙ୍ଗେସଙ୍ଗେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ଙ୍କ ସହିତ ଇନିଂସ ଓପନ କରିଥିଲେ । ଦୁହେଁ ସୁନ୍ଦର ବୁଝାମଣା ମଧ୍ୟରେ ବ୍ୟାଟିଂ କରି ପ୍ରଥମ ୱିକେଟ ଯୋଡିରେ ୭୮ ରନ ଯୋଗ କରିଥିଲେ । ତେବେ ରୋହିତ ଆଜି ଛକା ମାରିବାରେ ବିଫଳ ହୋଇଥିବା ବେଳେ ୪ ଚୌକା ବଳରେ ୩୦ ବଲରୁ ୩୩ ଓ କ୍ୱିଣ୍ଟନ ଡି କକ୍‌ ୩ ଛକା ଓ ୪ ଚୌକା ସହିତ ୪୨ ବଲରୁ ୫୫ ରନ କରି ଆଉଟ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସର ରନ ସଂଗ୍ରହ ଗତି ଧିମେଇ ଯାଇଥିଲା । କାରଣ ଦଳର ଅନ୍ୟତମ ନିର୍ଭର ଯୋଗ୍ୟ ଖେଳାଳି ସୂର୍ଯ୍ୟକୁମାର ଯାଦବ ୫ ,ଇଶାନ କିଶାନ ୧୪ ଓ ଲଢ଼ୁଆ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ୨୧ ରନ କରି ଆଉଟ ହୋଇ ଯାଇଥିଲେ ।

ସେହିପରି କୃନାଲ ପାଣ୍ଡ୍ୟା ୧୨ ରନ କରି ପ୍ୟାଭିଲିଅନ ଫେରିବା ସହିତ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ କରିଥିଲା । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ନା ଓ ଲକି ଫରଗ୍ୟୁସନ ପ୍ରତ୍ୟେକ ୨ ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ସୁନିଲ ନାରିନେଙ୍କୁ ଗୋଟିଏ ସଫଳତା ମିଳିଥିଲା ।

Get real time updates directly on you device, subscribe now.