fbpx

ମାଡ଼ି ଆସୁଛି ବାତ୍ୟା “ଗୁଲାବ୍‌’: ଆଜି ସନ୍ଧ୍ୟାରେ ଲ୍ୟାଣ୍ଡ୍‌ଫଲ୍‌, ୧୧ ଜିଲ୍ଳାରେ ପ୍ରବଳ ବର୍ଷା ସହ ପବନ ନେଇ ରେଡ୍ ଓ୍ବାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ/ଭୁବନେଶ୍ୱର/ବାରଙ୍ଗ/ କଟକ (ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶନିବାର ବାତ୍ୟାର ରୂପ ନେଇ ମାଡ଼ି ଆସୁଛି । ଏହି ବାତ୍ୟାର ନାମ “ଗୁଲାବ୍‌’ ରଖାଯାଇଛି । ଏହା ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୭ କି.ମି. ବେଗରେ ଗତି କରୁଛି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ୩୩୦ ଓ କଳିଙ୍ଗପଟ୍ଟନମ୍‌ଠାରୁ ୪୦୦ କି.ମି. ଦୂରରେ ରହିଛି । ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହୋଇଛି ଏହି ବାତ୍ୟା । ଭାରତୀୟ ପାଣିାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ରବିବାର ସନ୍ଧ୍ୟାରେ ଏହି ବାତ୍ୟା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ଆକଳନ କରାଯାଇଛି ।ବାତ୍ୟ ଗୁଲାବ୍‌ର ଲ୍ୟାଣ୍ଡ୍‌ଫଲ୍‌ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଅତିବେଶୀରେ ପବନର ବେଗ ଘଣ୍ଟା ପ୍ରତି ୯୫ କିଲୋମିଟର ହୋଇପାରେ ବୋଲି ଆଇଏମ୍‌ଡ଼ି ପୂର୍ବାନୁମାନ କରିଛି ।

ଏହି ବାତ୍ୟାର ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ, କୋରାପୁଟ,ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲା ଭଳି ରାଜ୍ୟର ୧୧ ଜିଲ୍ଳାରେ ପ୍ରବଳ ବର୍ଷା ସହ ପବନ ବୋହିବାର ଆଶଙ୍କା ରହିଛି । ଅନ୍ୟପଟେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଶନିବାର କହିଛନ୍ତି ଯେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୯୦ କିଲୋମିଟର ଛୁଇାଁରେ । ଆଉ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିପାରେ । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ୪ ରୁ ୫ ଜିଲ୍ଳାରେ ଅତି ପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, କୋରାପୁଟରେ ଆସନ୍ତା ୨ଦିନ ପ୍ରବଳ ବର୍ଷା ହୋଇପାରେ । ରବିବାର ଠାରୁ ବର୍ଷାର ପରିମାଣ ବଢିବ । ପାଣିପାଗ ବିଭାଗରୁ ସୂଚନା ମିଳିବା ପରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ହୋଇଛି, ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋର୍‌ଦାର୍‌ କରାଯାଇଛି ବୋଲି ସେ କହିଛନ୍ତି । ଖାସ୍‌କରି ପବନର ବେଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ କୁହାଯାଇଛି । ଏହାବାଦ୍‌ ପ୍ରବଳ ବର୍ଷା ପାଇଁ ଖାଲୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ତେଣୁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି ।

 

ସେହିଭଳି ଭୁସ୍ଖଳନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ଅଞ୍ଚଳରେ ଭୁସ୍ଖଳନ ଆଶଙ୍କା ରହିଛି ସେଠାରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ସେହିଭଳି ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି । ପ୍ରାୟ ୪୨ଟି ଓଡ୍ରାଫ୍‌, ୨୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ୭ଟି ଜିଲ୍ଲାରେ ମୁତୟନ କରାଯିବ । ଏହାସହ ଉଦ୍ଧାରକାର୍ଯ୍ୟ ପାଇଁ ୧୦୨ଟି ଅଗ୍ନିଶମ ଟିମକୁ ପ୍ରସ୍ତୁତ ରଖାଯାଇଛି । ଗଞ୍ଜାମକୁ ସର୍ବାଧିକ ୧୫ଟି ଓଡ୍ରାଫ୍‌ ଓ ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଯାଇଛି । ଗଜପତିକୁ ୬ଟି ଓଡ୍ରାଫ୍‌ ଓ ୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଯାଇଛି । ରାୟଗଡାକୁ ୬ଟି ଓଡ୍ରାଫ୍‌, ୪ଟି ଏନ୍‌ଡିଆର୍‌ଏଫ୍‌, କୋରାପୁଟକୁ ୩ଟି ଓଡ୍ରାଫ୍‌, ୪ଟି ଏନ୍‌ଡିଆର୍‌ଏଫ୍‌, ମାଲକାନଗିରିକୁ ୬ଟି ଓଡ୍ରାଫ୍‌, ୨ଟି ଏନ୍‌ଡିଆର୍‌ଏଫ୍‌, ନବରଙ୍ଗପୁରକୁ ୩ଟି ଓଡ୍ରାଫ୍‌,କନ୍ଧମାଳରେ ୩ଟି ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯିବ । ସେହିଭଳି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନୟାଗଡରେ ୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ରଖାଯିବ । ଯେଉଁ ଟିମ୍‌କୁ ପରବର୍ତ୍ତୀ ସମୟରେ ଗଞ୍ଜାମ ଓ କନ୍ଧମାଳକୁ ପଠାଯାଇ ପାରିବ । ଏହାଛଡା ଉପକୂଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଏସ୍‌ଆର୍‌ସି ଶ୍ରୀ ଜେନା । ପ୍ରବଳ ବର୍ଷା ଯୋଗୁ କେତେକ ସ୍ଥାନରେ ଫ୍ଲାସ୍‌ ଫ୍ଲଡ ହୋଇପାରେ । ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଜ୍ୟର ୪ଟି ବନ୍ଦର ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୋପାଳପୁର, ପୁରୀ, ପାରାଦୀପ, ଧାମରା ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିପରି ବତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ଲାଗି ଟୋଲ୍‌ ଫ୍ରି ନମ୍ବର- ୧୫୫୪ ଜାରି ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରାୟ ୭୦ କିଲୋମିଟର ବେଗରେ ପବନର ହେବାର ସମ୍ଭାବନା ଥିବାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି । ପାଟ୍ରୋଲିଂ ଜାହାଜ ଏବଂ ଡୋର୍ନିୟର ବିମାନ ସାହାଯ୍ୟରେ ତଟରକ୍ଷୀ ବାହିନୀ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କ ଉପରେ କଡ଼ା ନଜର ରଖିଥିବା କହିଛି । ମତ୍ସ୍ୟଜୀବୀଙ୍କୁ ଯଥାଶୀଘ୍ର କୂଳକୁ ଫେରିଯିବା ଲାଗି ପରାମର୍ଶ ଦିଆଯାଇଛି । ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଥିବା ତଟରକ୍ଷୀ ବାହିନୀର କାର୍ଯ୍ୟାଳୟ ସମେତ ଜାହାଜ, ଡୋର୍ନିୟର ବିମାନ ଏବଂ ଯବାନମାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ୨୫ ଓ ୨୬ ତାରିଖରେ କେହି ଛୁଟିରେ ରହିପାରିବେନି ବୋଲି ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ଅଫିସରମାନେ ହେଡକ୍ୱାଟର୍ସରେ ରହିବେ । ବିନା ଅନୁମତିରେ କେହି ହେଡକ୍ୱାଟର୍ସ ଛାଡ଼ିବେ ନାହିଁ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବାତ୍ୟାକୁ ନେଇ ସମସ୍ତେ ସତର୍କ ଓ ସଚେତନ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିବେଦନ କରିଛନ୍ତି ।

ସେ କହିଛନ୍ତି, ୨୬ ଓ ୨୭ ତାରିଖ ଗୁରୁତ୍ୱପୂର୍ଣ୍ଣ । ଏହି ଦୁଇ ଦିନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ପାଇଁ ବ୍ଲକ୍‌ ସ୍ତରରେ ଟିମ୍‌ ଗଠନ କରାଯାଇଛି । ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓଙ୍କୁ ସଜାଗ କରାଯାଇଛି । ପାହାଡ଼ିଆ ଓ ତଳିଆ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଏହା କ୍ଷୟକ୍ଷତିର ଆକଳନ ପାଇଁ ଟିମ୍‌ ଗଠନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ସୋନାପୁର ଓ ଗୋପାଳପୁର ବିଚ୍‌କୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମସ୍ତେ ସତର୍କ ଓ ସଚେତନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Get real time updates directly on you device, subscribe now.