ଆଜି ୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସୁଦୃଶ ଲଘୁଚାପ କ୍ଷେତ୍ର ବୁଧବାର ଗାଙ୍ଗୀୟ– ପଶ୍ଚିମବଙ୍ଗ ଉପତ୍ୟାକାର ପଶ୍ଚିମ ଭାଗ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ  ଗୁରୁବାର ସକାଳ ସାଢ଼େ ୮ଟା ଭିତରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବା ରହିଛି । ବର୍ଷା ଯୋଗୁ ତଳିଆ ଅଞ୍ଚଳର ବର୍ଷା ପାଣି ଜମି ରହିବ । ସୁବର୍ଣ୍ଣରେଖା ଅବବାହିକା ଅଞ୍ଚଳରେ ଜଳ ପତନ ବୃଦ୍ଧି ପାଇବ । ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଗୁରୁବାର ସକାଳ ସାଢ଼େ ୮ଟାରୁ ଶୁକ୍ରବାର ସକାଳ ସାଢ଼େ ୮ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।