ଅଷ୍ଟ୍ରେଲିଆରେ ମାଟି କାମୁଡିଲା ଭାରତ: ଦିନିକିଆ ପରେ ଟି-୨୦ ସିରିଜ ହାରିଲେ ଭାରତୀୟ ମହିଳା

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆ ଗସ୍ତରେ ରହିଥିବା ଭାରତୀୟ ମହିଳା ଦଳ ଦିନିକିଆ ପରେ ଟି-୨୦ ଶୃଙ୍ଖଳାରେ ମଧ୍ୟ ପରାଜିତ ହୋଇଛି । କ୍ୱିନସଲ୍ୟାଣ୍ଡରେ ଖେଳାଯାଇଥିବା ଅନ୍ତିମ ଟି-୨୦ ମୁକାବିଲାରେ ପରାଜିତ ହେବା ସହିତ ଭାରତ ୨-୦ରେ ଟି-୨୦ ଶୃଙ୍ଖଳା ହାରି ଯାଇଛି । ଏହା ପୂର୍ବରୁ ଭାରତ ଦିନିକିଆ ସିରିଜକୁ ୨-୧ରେ ହାରି ଯାଇଥିଲା । ଟେଷ୍ଟ ଶୃଙ୍ଖଳା ଅମୀମାଂସିତ ରହିଥିବା ବେଳେ ଅନ୍ତିମ ଦିନିକିଆରେ ୧୪ ରନରେ ପରାସ୍ତ ହୋଇଛି ଭାରତ । ମାତ୍ର ୧୫୦ ରନର ପିଛା କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା ।
ଟସ ହାରି ପ୍ର୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା । ବେଥ୍ ମୁନି ସର୍ବାଧିକ ୬୧ ରନ କରିଥିବା ବେଳେ ତାହିଲା ମ୍ୟାକଗ୍ରାଥ ଅପରାଜିତ ୪୪ ରନ ସଂଗ୍ରହ କରିଥିଲେ । ମୁନି ୪୩ ବଲ ଖେଳି ୧୦ ଚୌକା ସହିତ ୬୧ ରନ କରିଥିବା ବେଳେ ତାହିଲାଙ୍କ ଇନିଂସରେ ୬ ଚୌକା ଓ ୧ ଛକା ମାରିଥିଲେ । ରାଜେଶ୍ୱରୀ ଗାଏକ୍ୱାଡ ୩୭ ରନରେ ଦୁଇଟି ୱିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା, ପୂଜା ବସ୍ତ୍ରକାର ଓ ରେଣୁକା ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୧୫୦ ରନ ପିଛା କରୁଥିବା ଭାରତ ପକ୍ଷରୁ ଓପ୍ନର ସ୍ମୃତି ମାନ୍ଧନା ସର୍ବାଧିକ ୫୨ ରନ କରିଥିଲେ । ୪୯ ବଲ ଇନିଂସରେ ସ୍ମୃତି ୮ ଚୌକା ମାରିଥିଲେ । ଜେମିମା ରଡ୍ରିଗ୍ଜ ୨୩ ରନ କରିଥିବା ବେଳେ ହରମନପ୍ରୀତ କୌର ୧୩ ରନ କରିଥିଲେ । ଶେଷ ଆଡକୁ ରିଚା ଘୋଷ ୧୧ ବଲରୁ ୨୩ ରନ କରିଥିଲେ ହେଁ ବିଜୟ ପାଇଁ ତାହା ଯଥେଷ୍ଟ ନଥିଲା । ରିଚା ୨ଟି ଲେଖାଏଁ ଚୌକା ଓ ଛକା ମାରିଥିଲେ । ନିକୋଲା କେରୀ ୪୨ ରନରେ ୨ଟି ୱିକେଟ ନେଇଥିବା ବେଳେ ଗାର୍ଡନର, ୱେୟାରହାମ ଓ ସଦରଲାଣ୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତାହିଲା ମ୍ୟାକଗ୍ରାଥଙ୍କୁ ମ୍ୟାଚ ଓ ସିରିଜର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।