fbpx

ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ୱାଦଶ ଟର୍ମ-୧ ପରୀକ୍ଷା । ନଭେମ୍ବର ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଦଶମ ଟର୍ମ-୧ ପରୀକ୍ଷା । ଡିସେମ୍ବର ୧ରୁ ୨୨ ପର୍ଯ୍ୟନ୍ତ ହେବ ଦ୍ୱାଦଶ ଟର୍ମ-୧ ପରୀକ୍ଷା । ସକାଳ ୧୧ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ ଦଶମ ଏବଂ ଦ୍ୱାଦଶ ପରୀକ୍ଷା । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ୯୦ ମିନିଟ ସମୟ ମିଳିବ, ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପଢ଼ିବାକୁ ୨୦ ମିନିଟ ମିଳିବ । ଅଧିକ ତଥ୍ୟ ଜାଣିବାକୁ www.cbse.nic.in ଦେଖିବାକୁ ପରାମର୍ଶ ଦିଆଯାଇଛି ।

କରୋନା ମହାମାରୀ ପରଠାରୁ ଏବଂ ନୂତନ ଶିକ୍ଷା ନୀତି ଲାଗୁହେବା ପରେ ସିବିଏସଇ ବୋର୍ଡର ପରୀକ୍ଷା ଏବଂ ମୂଲ୍ୟାଙ୍କନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ନୂତନ ମୂଲ୍ୟାଙ୍କନ ଯୋଜନା ଅନୁଯାୟୀ ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଶିକ୍ଷାବର୍ଷକୁ ଦୁଇ ଟର୍ମରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଶ୍ରେଣୀର ଶିକ୍ଷାବର୍ଷକୁ ୫୦ ପ୍ରତିଶତ ସିଲାବସ ସହ ଦୁଇ ଟର୍ମରେ ବିଭକ୍ତ କରାଯାଇଛି ।

ଗତ ବର୍ଷ କରୋନା ମହାମାରୀ ଯୋଗୁଁ ସିବିଏସଇ ପରୀକ୍ଷାକୁ ବାତିଲ କରାଯିବା ସହ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାଙ୍କନ କରାଯାଇଥିଲା । ତେବେ ଏ ବର୍ଷ ସେହିଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଅତି କମରେ ଗୋଟିଏ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ସିବିଏସଇ, ଏଥିପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ଦୁଇଟି ଟର୍ମରେ ବିଭକ୍ତ କରିଛି । ଅନେକ ରାଜ୍ୟ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.