fbpx

ବିଜେପି ମନ୍ତ୍ରୀଙ୍କ ଅଜବ ବୟାନ- ୯୫ ପ୍ରତିଶତ ଲୋକ ବ୍ୟବହାର କରନ୍ତି ନାହିଁ ପେଟ୍ରୋଲ, ଜମାରୁ ବଢିନି ତୈଳ ଦର

ଲଖନଉ : ଦେଶରେ ପେଟ୍ରୋଲ-ଡିଜେଲ ଦର ନକହିବା ଭଲ । ଲୋକେ ଏହି ଅନିଶ୍ଚିତତାରେ ଅଛନ୍ତି ଯେ, କେବେ କମିବ ତୈଳ ଦର । ହେଲେ ଏହା ମଧ୍ୟରେ ଇନ୍ଧନ ଦାମ ନେଇ ଉତ୍ତର ପ୍ରଦେଶର ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ଅଜବ ବୟାନ ଦେଇଛନ୍ତି । ଜାଲୋନ ପହଞ୍ଚିଥିବା ତିୱାରୀ କହିଛନ୍ତି, ବାସ୍ କିଛି ଲୋକ ହିଁ ଚାରି ଚକିଆ ଯାନ ବ୍ୟବହାର କରନ୍ତି ଆଉ ସେହି ମାନଙ୍କୁ ହିଁ ପେଟ୍ରୋଲ ଆବଶ୍ୟକ ପଡିଥାଏ । ୯୫ ପ୍ରତିଶତ ଲୋକଙ୍କୁ ପେଟ୍ରୋଲର ଆବଶ୍ୟକ ପଡିନଥାଏ । ସେ କହିଛନ୍ତି, ଲୋକଙ୍କୁ ୧୦୦ କୋଟିରୁ ଅଧିକ ଟିକା ମାଗଣାରେ ଦିଆଯାଇଛି । ଯଦି ଆପଣ ଇନ୍ଧର ମୂଲ୍ୟ ଲୋକଙ୍କ ମୁଣ୍ଡ ପିଛା ଆୟ ସହ ତୂଳନା କରିବେ ତେବେ ମୂଲ୍ୟ ଏବେ ମଧ୍ୟ ବହୁତ କମ ରହିଛି । ଦେଶରେ ଡିଜେଲ୍-ପେଟ୍ରୋଲ ଦାମରେ କୌଣସି ବୃଦ୍ଧି ଘଟିନାହିଁ । ମନ୍ତ୍ରୀଙ୍କ ଏହି ବୟାନ ଲୋକଙ୍କ ଯନ୍ତ୍ରଣାରେ ଚୂନ ମାରିବା ପରି ହୋଇଛି ।

ଉତ୍ତର ପ୍ରଦେଶର ଯୁବ କଲ୍ୟାଣ ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ଉରଇରେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅମୃତ ମହୋତ୍ସବ ସମାରୋହର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି । ଏହି ସମୟରେ ସେ ବିଜେପି ସରକାରଙ୍କ ଉପଲବ୍ଧି ବଖାଣିଛନ୍ତି । ସେ କହିଛନ୍ତି, ଦେଶରେ ମୋଦୀ ଏବଂ ରାଜ୍ୟରେ ଯୋଗୀ ସରକାରଙ୍କ ପକ୍ଷରୁ ବିକାଶର ଗଙ୍ଗା ପ୍ରବାହିତ ହେଉଛି । ବିରୋଧୀଙ୍କ ପାଖରେ ଏବେ କୌଣସି ପ୍ରସଙ୍ଗ ନାହିଁ ।

ମନ୍ତ୍ରୀ କହିଛନ୍ତି, ସରକାର ମାଗଣାରେ ଶିକ୍ଷା, ଭ୍ୟାକ୍ସିନ ଏବଂ ରାସନ ଦେଉଛନ୍ତି । ୧୦୦ କୋଟି ଡୋଜ ମାଗଣା ଭ୍ୟାକ୍ସିନ ଦେଇ ସାରିଲେଣି । ତେଣୁ ଦେଶରେ ପେଟ୍ରୋଲ-ଡିଜେଲ୍ ଦର କୌଣସି ଚିନ୍ତାର କାରଣ ନୁହେଁ । କୌଣସି ପ୍ରକାରର ଜିନିଷ ଡିଜେଲ୍-ପେଟ୍ରୋଲରୁ ଆଦାୟ କରାଯାଉ ନାହିଁ । ମୋଦୀ ଓ ଯୋଗୀ ସରକାର ଲୋକଙ୍କ ଆୟ ବଢାଇଛନ୍ତି । ସେହି ହିସାବରେ ପେଟ୍ରୋଲ-ଡିଜେଲ୍ ଦାମ ବହୁତ କମ ରହିଛି ବୋଲି ମନ୍ତ୍ରୀ ମହୋଦୟ କହିଛନ୍ତି ।

 

 

Get real time updates directly on you device, subscribe now.