fbpx

ମାଆ-ଝିଅଙ୍କୁ ଛୁରାମାଡ଼ ଘଟଣା: କେବେ ଖୋଲିବ ରୂପେଶଙ୍କ ମହିଳା ବେଶ ପଛର ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ସ୍ମିତା ମିଶ୍ର ଓ ତାଙ୍କ ଝିଅ ଅନନ୍ୟାଙ୍କୁ ଛୁରାମାଡ଼ ଘଟଣା ସନ୍ଦେହ ଘେରକୁ ଆସୁଛି । ପୋଲିସ ଘଟଣାସ୍ଥଳରୁ ଛୁରୀ ଓ ବନ୍ଧୁକ ଜବତ କରିଥିବାରୁ ଘଟଣାଟି ଅଧିକ ରହସ୍ୟମୟ ଜଣାପଡ଼ୁଛି । ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଥିଲେ ହେଁ ଏହା ପଛରେ ଆହୁରି କିଛି ଗୁମର ଲୁଚି ରହିଥିବା ଆଶଙ୍କା କରାଯାଉଛି । ତେବେ ରୂପେଶ ପଣ୍ଡା କାହିଁକି ମହିଳା ବେଶରେ ପଡ଼ୋଶୀ ସୁରେଶ ମିଶ୍ରଙ୍କ ଘରକୁ ଯାଇଥିଲେ? ପୋଲିସ ୩ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିବାରୁ କିଏ କାହାକୁ ପ୍ରଥମେ ଆକ୍ରମଣ କରିଥିଲା ତାହା ରହସ୍ୟଘେରରେ ରହିଛି ।

ତେବେ ଏହି ଘଟଣାରେ ରୂପେଶଙ୍କ ମାଆ ଶାନ୍ତିଲତାଙ୍କ ବୟାନ ଏକ ଭିନ୍ନ କଥା କହୁଛି । ସକାଳୁ ରୂପେଶ କୌଣସି କାମରେ ବାହାରକୁ ଯାଇଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଅଟକାଇ ମାଆ ଓ ଝିଅଙ୍କୁ ଆକ୍ରମଣ କରିବାକୁ କହିଥିଲେ । ଏଥିରେ ରାଜି ନ ହେବାରୁ ୩ ଜଣ ଯାକ ରୂପେଶଙ୍କୁ ବନ୍ଧୁକରେ ମାଡ଼ ମାରିଥିଲେ । ମାଆ-ଝିଅଙ୍କୁ ଆକ୍ରମଣ କରିବାକୁ ଉକ୍ତ ଯୁବକମାନେ ରୂପେଶଙ୍କୁ ସେଠାକୁ ପଠାଇଥିବା ଶାନ୍ତିଲତା କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସତ କହୁଛି କିଏ? ଉକ୍ତ ୩ ଜଣ ଯୁବକ କିଏ? ମାଆ, ଝିଅ ଓ ରୂପେଶଙ୍କ ସହିତ ସେମାନଙ୍କର କ’ଣ ରହିଥିଲା ସମ୍ପର୍କ? ଏହି ଘଟଣାର ମୂଳଉତ୍ସ କ’ଣ ଏହାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଏନେଇ ମାଆ, ଝିଅ, ରୂପେଶଙ୍କ ବୟାନ ଓ ପୋଲିସର ଅଧିକ ତଦନ୍ତ ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.