ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲରେ ଫସିଥିବା ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବେଲ ମିଳିସାରିଛି । କିନ୍ତୁ ଏହି ମାମଲାରେ ଆଉ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଡ୍ରଗ୍ସ ମାମଲାରେ ସାକ୍ଷୀ ପ୍ରଭାକର ସେଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟରେ ନୂଆ ଖୁଲାସା ହୋଇଛି । ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଆର୍ଯ୍ୟନଙ୍କୁ ବଞ୍ଚାଇବାକୁ ଟଙ୍କା ଦେଇଥିବା ନେଇ ସାମ ଡିସୁଜା ଟେଲିଭିଜନର ଏକ ଇଣ୍ଟରଭ୍ୟୁରେ କହିଥିଲେ । କିନ୍ତୁ ଏହା ଅସମ୍ଭବ ଅନୁଭବ କରିବା ପରେ ସେ ଟଙ୍କା ଫେରାଇନେଇଥିଲେ ।
ତେବେ ବ୍ୟବସାୟୀ ଡିସୁଜା ଅଭିଯୋଗ କରିଛନ୍ତି ଯେ, ‘ଦାଦଲାନି ଡ୍ରଗ୍ସ ମାମଲାରେ କେ ପି ଗୋସାଭି ନାମକ ସାକ୍ଷୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଗୋସାଭି ଜଣେ ଠକ ବୋଲି ଜାଣିବାକୁ ପାଇବା ପରେ ଦାଦଲାନି ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ।’
ସେଲ ନିଜର ଆଫିଡେଭିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ‘ଗୋସାଭି, ଦାଦଲାନି ଓ ଡି’ସୁଜା ଅକ୍ଟୋବର ୩ ତାରିଖ ଦିନ ଦେଖା ହୋଇଥିଲା । ଜଣେ ବ୍ୟକ୍ତି କାର ଭିତରକୁ ଯାଇ ଦୁଇଟି ବ୍ୟାଗ ସେଲଙ୍କୁ ଦେଇଥିଲେ, ଯାହାକୁ ସେ ଟ୍ରାଇଡେଣ୍ଟ ହୋଟେଲରେ ଡି’ସୁଜାକୁ ଦେଇଥିଲେ । ଏହି ପ୍ରମାଣପତ୍ରରେ ଦର୍ଶାଯାଇଛି ଯେ ଡି’ସୁଜା ଏହି ଟଙ୍କା ଗଣିବା ପରେ ଏହା ମାତ୍ର ୩୮ ଲକ୍ଷ ଟଙ୍କା ବୋଲି କହିଥିଲେ । ସେଲ୍ ଦାବି କରିଛନ୍ତି ଯେ ଗୋସାଭି ଏବଂ ଅନ୍ୟମାନେ ୨୫ କୋଟି ଟଙ୍କାର ଦାବି ଉପରେ ଚର୍ଚ୍ଚା କରିଥିଲେ, ଯେଉଁଥିରୁ ୮ କୋଟି ଟଙ୍କା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ଦିଆଯିବ ।
ପରେ ଡି’ସୁଜା ଟିଭି ଚ୍ୟାନେଲକୁ କହିଥିଲେ ଯେ, ‘ବହୁ ଅପବ୍ୟବହାର ଏବଂ ଟେନସନ୍ ପରେ ଆମେ ଗୋସାଭିଙ୍କଠାରୁ ୩୮ ଲକ୍ଷ ଟଙ୍କା ରିଟର୍ଣ୍ଣ ଆଣିବାରେ ସଫଳ ହୋଇଥିଲୁ ଓ ଏହାକୁ ଦାଦଲାନିଙ୍କୁ ଫେରାଇ ଦେଇଥିଲୁ ।’