fbpx

ଅଙ୍ଗନବାଡି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ଦୂର ହେବ ବିବାହିତ-ଅବିବାହିତ ପାତର ଅନ୍ତର

ନୂଆଦିଲ୍ଳୀ: ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଏଣିକି ପାତର ଅନ୍ତର କରାଯାଇ ପାରିବ ନାହିଁ । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ବିବାହ ଏକ ଯୋଗ୍ୟତା ନୁହେଁ ତେଣୁ ବିବାହିତ ଏବଂ ଅବିବାହିତ କନ୍ୟାଙ୍କ ମଧ୍ୟରେ ପାତର ଅନ୍ତର କରାଯିବା ଅନୁଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିହାରର ମୁଜାଫରପୁରରେ ଏକ ଅଙ୍ଗନବାଡି କର୍ମୀ ନିଯୁକ୍ତି ବିବାଦ ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଆର. ସୁଭାଷ ରେଡ୍ଡୀ ଏବଂ ହୃଷୀକେଶ ରାୟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

୨୦୦୬ ମସିହାରେ ମୁରୌଲ ଜିଲ୍ଲାରେ ଅଙ୍ଗନବାଡି ନିଯୁକ୍ତିକୁ ନେଇ ବିବାଦ ଦେଖା ଦେଇଥିଲା । ଜଣେ ମହିଳାଙ୍କ ନିଯୁକ୍ତିକୁ ନେଇ କୋର୍ଟରେ ମାମଲା ଦାୟର କରାଯାଇଥିଲା । ନିଯୁକ୍ତି ପାଇଥିବା ରେଖା ଭାରତୀ ଜଣେ ସରକାରୀ ଶିକ୍ଷକଙ୍କ ଝିଅ ଥିଲେ । କୌଣସି ସରକାରୀ ଅଧିକାରୀଙ୍କ ପତ୍ନୀ, ଝିଅ ବା ଭଉଣୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଆଇନ ରହିଛି । ତେଣୁ ରେଖାଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଯାଇଥିଲା । ଏହାକୁ ନେଇ ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରେଖା । ସୁପ୍ରିମ କୋର୍ଟ କହିଛନ୍ତି ବିବାହିତା ବା ଅବିବାହିତାଙ୍କ ମଧ୍ୟରେ କୌଣସି ପାତର ଅନ୍ତର କରାଯିବ ନାହିଁ । ସମସ୍ତେ ଚାକିରି କରିବା ପାଇଁ ଯୋଗ୍ୟ । ବିବାହ ଏକ ଯୋଗ୍ୟତା ହୋଇନଥିବାରୁ ଏହା ଆଧାରରେ ଚୟନ କରାଯିବ ନାହିଁ । ଉଭୟ ପ୍ରାର୍ଥୀ ଆଉ ଥରେ ଆବେଦନ କରନ୍ତୁ ଏବଂ ସେମାନଙ୍କୁ ସୁଯୋଗ ପ୍ରଦାନ କରାଯିବ ବୋଲି ଖଣ୍ଡପୀଠ ସୂଚନା ଦେଇଥିଲେ ।

Get real time updates directly on you device, subscribe now.