fbpx

ମୋଦି ସରକାର ହଠାତ୍ କୃଷି ଆଇନ ପ୍ରତ୍ୟାହାର କଲେ କାହିଁକି, ଏହା ନିର୍ବାଚନ ପୂର୍ବର ଗୋଟିଚାଳନା ନା ଆଉ କିଛି

ନୂଆଦିଲ୍ଲୀ: ଆଜି ଦେଶର ପ୍ରତ୍ୟେକ କୃଷକଙ୍କ ପାଇଁ ଏକ ଶୁଭ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ୩ଟି କୃଷି ଆଇନକୁ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ତେବେ ଦେଶର କୋଟି କୋଟି କୃଷକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସେମାନଙ୍କର ହିତ ସାଧନ ପାଇଁ ଏହି ଆଇନଗୁଡ଼ିକ ଅଣାଯାଇଥିଲା । ଦେଶରେ ୧୦ କୋଟିରୁ ଅଧିକ କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥକୁ ଧ୍ୟାନ ଦେଇ ପୁରୁଣା ନିୟମ ପରିବର୍ତ୍ତନ କରାଯାଇଛି । କୃଷକଙ୍କୁ ବୀମାର ସୁବିଧା ମିଳିବା ସହ ସେମାନଙ୍କର ଆକାଉଣ୍ଟକୁ ୧.୬୨ ଲକ୍ଷ କୋଟି ପଠାଯାଇଛି ଓ ମଣ୍ଡି ନବୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ଦୁଃଖର କଥା ଅନେକ ଗୋଷ୍ଠୀ ଏହାକୁ ଲଗାତର ବିରୋଧ କରିଆସୁଥିଲେ । ଏସବୁ ପରେ ବିରୋଧକୁ ଦୃଷ୍ଟିରେ ରଖି ତଥା କୃଷକଙ୍କ ଲାଭ ପାଇଁ ଉକ୍ତ ଆଇନକୁ ଉଠାଇ ନିଆଯାଇଥିବା ମୋଦି କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଏହି ଆଇନକୁ ଏତେ ତରବରିଆ ଭାବେ ଉଠାଇଲେ କାହିଁକି । ନୂଆ ଆଇନକୁ ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କଥା ଯାଇଥିବା ବେଳେ ସରକାର ପରିବର୍ତ୍ତନ ସପକ୍ଷରେ ଥିଲେ । ତେଣୁ ପ୍ରତ୍ୟାହାର ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଆସୁଛି । ପଞ୍ଜାବ ନିର୍ବାଚନରେ କୃଷକଙ୍କ ବଡ଼ ଭୋଟ ବ୍ୟାଙ୍କ ରହିଥିବାରୁ ଗୁରୁ ନାନକଙ୍କ ଜୟନ୍ତୀରେ ଏହା ଘୋଷଣା କରାଗଲା । ସେହିପରି ୟୁପିରେ ମଧ୍ୟ କୃଷକଙ୍କ ଅଧିକ ଭୋଟ ରହିଥିବା ବେଳେ ସେଠାକୁ ଗସ୍ତ ପୂର୍ବରୁ ଏହି ଘୋଷଣା କରାଯାଇଥିବା କୁହାଯାଉଛି । ଏକ ବର୍ଷରୁ ଅଧିକ ସମୟ ଧରି ବିରୋଧୀଙ୍କର ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଥିଲା କୃଷି ଆନ୍ଦୋଳନ । ତେଣୁ ଏହ ଆନ୍ଦୋଳନକୁ ଖତମ୍ କରିଦେଲେ ସବୁ ଖେଳ ଖତମ୍ । ନିକଟରେ ୧୫ଟି ରାଜ୍ୟର ଉପନିର୍ବାଚନରେ ବିଜେପିର ଆଖିଦୃଶିଆ ପ୍ରଦର୍ଶନ ନହେବା ଦଳକୁ ବହୁତ ବଡ଼ ଶିକ୍ଷା ଦେଇଛି । ବର୍ତ୍ତମାନ ଦେଶରେ ତୈଳ, ଇନ୍ଧନ ଓ ଖାଇବା ତେଲର ମହଙ୍ଗା ମାଡ଼କୁ ନେଇ ଜନତା ଅସନ୍ତୁଷ୍ଟ ରହିଛନ୍ତି, ଯାହାର ଫଳ ଭାଜପାକୁ ନିକଟରେ ଭୋଗିବାକୁ ପଡ଼ିଛି । ତେଣୁ ଏକାଧିକ ରାଜ୍ୟର କୃଷକ ବିରୋଧ ସତ୍ତ୍ୱେ ନିଜର ଭୋଟ ପ୍ରତିଶତକୁ ଆହୁରି ନିମ୍ନଗାମୀ କରିବାକୁ ଭାଜପା ଚାହୁଁନାହିଁ ।

Get real time updates directly on you device, subscribe now.