fbpx

ବୁଧବାର ପ୍ରତ୍ୟାହାର ହୋଇପାରେ କୃଷି ଆଇନ୍‌, କେନ୍ଦ୍ର କ୍ୟାବିନେଟ୍‌ରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: କୃଷି ଆଇନକୁ କେନ୍ଦ୍ରସରକାର ଏବେ ଶୀଘ୍ରାତିଶୀଘ୍ର ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ସୂତ୍ରରୁ ମିଳୁଥିବା ସୂଚନାରେ ଆଗାମୀ ବୁଧବାର ଅର୍ଥାତ ୨୪ ନଭେମ୍ବର ୨୦୨୧ରେ ମୋଦିଙ୍କ ମନ୍ତ୍ରିମଣ୍ଡଳ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତବାକୁ ମଞ୍ଜୁରୀ ଦେଇପାରନ୍ତି ।

ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହେବ । ଏଥିରେ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବ ଉପସ୍ଥାପନ ହେବ । ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବି ଗତବର୍ଷ ନଭେମ୍ବର ମାସରୁ ଦିଲ୍ଲୀକୁ ଘେରି ରହିଥିବା ଚାଷୀ ଆନ୍ଦୋଳନରୁ ଉଠି ନାହାନ୍ତି । ସରକାରଙ୍କ ଘୋଷଣା ଉପରେ ଚାଷୀ ଭରସା କରିପାରୁ ନାହାନ୍ତି । ଏମିତି ଘୋଷଣା କରିଦେଲେ ଆଇନ ପ୍ରତ୍ୟାହାର ହୋଇ ଯିବ ବୋଲି ସେମାନେ ବିଶ୍ୱାସ କରୁ ନାହାନ୍ତି । ଆଇନ ବାଦେ ସେମାନଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି । ଏ ବାବଦରେ ସରକାର ସେମାନଙ୍କ ସହ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ହେବ ବୋଲି ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଟ୍ୱିଟ୍‌ କରିଥିଲେ ।

ସେହି ଅନୁସାରେ ଚାଷୀ ସେମାନଙ୍କ ଆନ୍ଦୋଳନ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ମଧ୍ୟ କରି ନାହାନ୍ତି । ଏବେ ସଂସଦର ଶୀତ ଅଧିବେଶନ ପୂର୍ବରୁ ମନ୍ତ୍ରୀମଣ୍ଡଳ ବୈଠକ ନେଇ ଦିନ ଧାର୍ଯ୍ୟ ହୋଇଛି । ଏଥିରେ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ପ୍ରସ୍ତାବ ମଧ୍ୟ ଉପସ୍ଥାପିତ ହେବ । ନୂଆ କୃଷିଆଇନର ବିଭିନ୍ନ ପ୍ରାବଧାନ କରାଯାଇଥିଲା । ଏଥିରେ ରାଜ୍ୟମାନଙ୍କର କେତେକ କ୍ଷମତା ମଧ୍ୟ ସମାପ୍ତ ହୋଇଯାଇଥିଲା । ସେ ବାବଦେ କଣ ନିଷ୍ପତ୍ତି ହେବ ତା ଉପରେ ଏବେ ସମସ୍ତଙ୍କ ନଜର ।

Get real time updates directly on you device, subscribe now.