ନୂଆଦିଲ୍ଲୀ: ୟାଇଏସ୍ ଜଗମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ୩ ରାଜଧାନୀ ବିଲକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ୍ ବୈଠକ ପରେ ଗତବର୍ଷ ଜୁନରେ ତିଆରି ହୋଇଥିବା ଆଇନକୁ ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କେବଳ ଗୋଟିଏ ରାଜଧାନୀ ରହିବ ।
ତେବେ ଜଗନ ମୋହନ ରେଡ୍ଡୀ ସରକାର ଏପି ଡିସେଣ୍ଟ୍ରାଲାଇଜେସନ୍ ଏବଂ ଇନକ୍ଲୁସିଭ୍ ଡେଭଲପମେଣ୍ଟ ଅଫ୍ ଅଲ୍ ରିଜିଅନ୍ସ ବିଲ୍, ୨୦୨୦ ରେ ରାଜ୍ୟ ପାଇଁ ଏକ୍ଜିକ୍ୟୁଟିଭ୍, ଜୁଡିସିଆଲ ଓ ଲେଜିସଲେଟିଭ୍ ରାଜଧାନୀ ପାଇଁ ବିଶାଖାପାଟନମ୍, ଅମରାବତୀ ଓ କୁରନୂଲକୁ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଏହାସହ ରାଜ୍ୟକୁ ବିଭିନ୍ନ ଜୋନରେ ବିଭକ୍ତ କରିବା ଓ ବିକାଶ ବୋର୍ଡ ଗଠନ ପାଇଁ ବ୍ୟବସ୍ଥା ମଧ୍ୟ କରିଛି । ଆଡଭୋକେଟ୍ ଜେନେରାଲ୍ ଏସ୍ ଶ୍ରୀରାମ ସୋମବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରଙ୍କ ନିଷ୍ପତ୍ତି କହିଛନ୍ତି ।
ତିନୋଟି ଆଞ୍ଚଳିକ ରାଜଧାନୀ ପ୍ରତିଷ୍ଠା ବିରୋଧରେ ଟିଡିପି, ବିଜେପି ଓ ଜନସେନାଙ୍କ ବିରୋଧ ୭୦୦ ଦିନରୁ ଅଧିକ ସମୟ ଧରି ଚାଲିଆସୁଥିଲା । ଅମରାବତୀଙ୍କୁ ରାଜ୍ୟର ରାଜଧାନୀ କରିବାକୁ ଅମରାବତୀର କିଷାନ ୪୫ ଦିନିଆ ପଦଯାତ୍ରା କରି ଦାବି କରୁଥିଲେ ।
ହାଇକୋର୍ଟଙ୍କ ଖଣ୍ଡପୀଠ ୩ ରାଜଧାନୀ ଗଠନ କରିବା ବିରୋଧରେ ହୋଇଥିବା ଆବେଦନ ଉପରେ ଏହି ମାସ ଅର୍ଥାତ୍ ୧୫ ନଭେମ୍ବରରୁ ଶୁଣାଣି କରିଥିଲେ । ଅମରାବତୀକୁ ରାଜଧାନୀ କରିବାକୁ ଯେଉଁ କୃଷକମାନେ ନିଜର ୩୪ ହଜାର କୃଷି ଯୋଗ୍ୟ ଜମି ଦେଇଥିଲେ, ସେମାନେ ଏହି ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାରେ ୧୦୦ରୁ ଅଧିକ ଆବେଦନ କରାଯାଇଥିଲା ।