ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଧାନସଭା ପରିସରରୁ ମିଳିଲା ମଦ ବୋତଲ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା । ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଉତ୍ତର ରଖନ୍ତୁ ବୋଲି ମଧ୍ୟ ବିରୋଧି ଦଳ ପକ୍ଷରୁ ଦାବି କରାଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବିହାର ବିଧାନସଭା ପରିସରରେ । ବିଧାନସଭା ପରିସରରେ ଖାଲି ମଦ ବୋତଲ ଉଦ୍ଧାର କରାଯାଇଛି ।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ । ରାଜ୍ୟରେ ମଦ ବନ୍ଦ କରାଯାଇଥିବା ବେଳେ କେଉଁ ଭଳି ଭାବରେ ବିଧାନସଭା ମଧ୍ୟରୁ ମଦ ବୋତଲ ମିଳୁଛି ତାହାର ଉତ୍ତର ନୀତିଶ କୁମାର ରଖିବା ଉଚିତ ବୋଲି କହିଛନ୍ତି ତେଜସ୍ୱୀ । ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି । ସେହିପରି ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ନୀତିଶ କୁମାର । ନୀତିଶ କହିଛନ୍ତି ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।