ବିଶ୍ୱ ୩୦ ଦେଶରେ କାୟା ବିସ୍ତାର କଲା ଓମିକ୍ରନ୍: ଭାରତରେ ଚିହ୍ନଟ ହୋଇଥିବା ୪୬ ବର୍ଷୀୟ ଡାକ୍ତରଙ୍କ ଟ୍ରାଭେଲ୍ ହିଷ୍ଟ୍ରୀକୁ ନେଇ ବଢ଼ିଲା ଦ୍ୱନ୍ଦ

ଜଣେ ଦକ୍ଷିଣ ଆଫ୍ରିକା ନାଗରିକ, ଅନ୍ୟ ଜଣେ ଡାକ୍ତର

ନୂଆଦିଲ୍ଲୀ,  ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ଭାରିଏଣ୍ଟ “ଓମିକ୍ରନ୍‌’ ଏବେ ଭାରତରେ ପ୍ରବେଶ କରିସାରିଛି । କର୍ଣ୍ଣାଟକରେ ୨ଜଣ ଓମିକ୍ରନ୍‌ ଭୂତାଣୁରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଏହି ୨ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲି ସୂଚନା ମିଳିଛି । ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ । ଉଭୟଙ୍କର ସାମାନ୍ୟ ଲକ୍ଷଣ ରହିଛି ବୋଲି ସେ କହିଛନ୍ତି । ବିଶ୍ୱରେ ଏପର୍ଯ୍ୟନ୍ତ ଯେତୋଟି ଓମିକ୍ରୋନ୍‌ ମାମଲା ସାମ୍ନାକୁ ଆସିଛି, ସେଥିରେ କୌଣସି ପ୍ରକାରର ଗମ୍ଭୀର ଲକ୍ଷଣ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି ।

ଅନ୍ୟପଟେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର କେ. ସୁଧାକର କହିଛନ୍ତି ଯେ ୬୬ ବର୍ଷୀୟ ଓମିକ୍ରୋନ୍‌ ଆକ୍ରାନ୍ତଜଣକ ଦକ୍ଷିଣ ଆଫ୍ରିକାର ନାଗରିକ ଏବଂ ସେ ଦକ୍ଷିଣ ଆଫ୍ରିକା ଫେରି ଯାଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟ କେହି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇନାହାଁନ୍ତି ବୋଲି ଡ. ସୁଧାକର କହିଛନ୍ତି । ସେହିପରି ଓମିକ୍ରନ୍‌ରେ ଆକ୍ରାନ୍ତ ୪୬ ବର୍ଷୀୟ ବ୍ୟକ୍ତିଜଣକ ଜଣେ ଡାକ୍ତର ଏବଂ ତାଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରୀ ନାହିଁ ବୋଲି ସେ କହିଛନ୍ତି । ଏପର୍ଯ୍ୟନ୍ତ ଭାରତକୁ ମିଶାଇ ୨୯ ଦେଶରେ ଏହି ଓମିକ୍ରୋନ୍‌ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇସାରିଲାଣି । ୩୦ ଦେଶରେ ମୋଟ ୩୭୩ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନାର ମାରାତ୍ମକ କୁହାଯାଉଥିବା ଡେଲ୍ଟା ଭାରିଏଣ୍ଟ ଠାରୁ ମଧ୍ୟ ଓମିକ୍ରୋନ୍‌ ଅଧିକ ବିଦଜ୍ଜନକ । ଏହା ଖୁବ୍‌ ଦ୍ରୁତଗତିରେ ବ୍ୟାପିକା ଆଶଙ୍କା ରହିଛି । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଭାରିଏଣ୍ଟ ଅଫ୍‌ କନସର୍ଣ୍ଣ ଶ୍ରେଣୀରେ ରଖିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେପଟେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି । ଏହି ନୂତନ ପ୍ରଜାତିର ଭୂତାଣୁ କବଳରୁ ବର୍ତ୍ତିବା ପାଇଁ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଗହଳି ସ୍ଥାନକୁ ଆଦୌ ନଯିବାକୁ ସତର୍କ କରାଇଛନ୍ତି ବିଶେଷଜ୍ଞ । ଆଇସିଏମ୍‌ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଗହଳିକୁ ଯାଆନ୍ତୁ ନାହିଁ ଏବଂ ନିଶ୍ଚିତ ଟିକା ନିଅନ୍ତୁ । ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି ।

ଭାରତରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢିଯାଇଛି । ସେପଟେ ଓମିକ୍ରନ୍‌ ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ଆସନ୍ତା ୧୫ ତାରିଖରୁ ଚାଲିବାକୁ ଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ବିମାନବନ୍ଦର ଗୁଡିକରେ କୋଭିଡ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପକ୍ଷରେ ଓମିକ୍ରନ୍‌ ଭାରିଏଣ୍ଟ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବାରୁ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତା ପ୍ରକଟ କରିଛି । ସଙ୍ଗଠନର ନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରିୟସ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୩୦ଟି ଦେଶରେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇ ସାରିଲାଣି । ଏହି ସଂଖ୍ୟା ବଢ଼ିବାର ମଧ୍ୟ ଆଶଙ୍କା ରହିଛି । ହଠାତ୍‌ ଓମିକ୍ରନ ଭାରିଏଣ୍ଟ ଠାବ ହେବାରୁ ସାରା ବିଶ୍ୱ ଏହାକୁ ଗୁରୁତ୍ୱର ସହ ନେଇଛି । ପ୍ରକାଶଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିଲା କରୋନା ଭୂ୍‌ତାଣୁର ନୂଆ ପ୍ରଜାତି ‘ଓମିକ୍ରନ’ । ଦକ୍ଷିଣ ଆଫ୍ରିକା ସ୍ଥିତ ଏକ ଲ୍ୟାବରେ ନଭେମ୍ବର ୧୯ତାରିଖରେ ଏହି ପ୍ରଜାତି ପ୍ରଥମେ ଚିହ୍ନଟ ହୋଇଥିଲା ।