fbpx

ଥଣ୍ଡା, କାଶ, ଛିଙ୍କ ହୋଇଥିଲେ ସ୍କୁଲରେ କେହି ପ୍ରବେଶ କରିପାରିବେନି: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେଣୁ ସତର୍କ ରହିବା ସହ କଟକଣା କଡ଼ାକଡ଼ି କରିବାକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏପରି ସ୍ଥିତିରେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ନିକଟରେ ସ୍କୁଲ ଖୋଲିଥିଲେ ହେଁ ତାହା ଉପରେ ଏବେ ଓମିକ୍ରନ ପାଇଁ ପୁଣି ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଯେଉଁ ଛାତ୍ରଛାତ୍ରୀଙ୍କର ଥଣ୍ଡା, କାଶ, ଛିଙ୍କ ହେଉଥିବ ସେମାନେ ସ୍କୁଲକୁ ନ ଆସିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ତେବେ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଶୀତ ଆରମ୍ଭ ହୋଇଯାଇଥିବାରୁ ପିଲାମାନଙ୍କୁ ଥଣ୍ଡା, କାଶ, ଛିଙ୍କ ହେବା ସ୍ୱାଭାବିକ । ତେଣୁ ଏପରି ଲକ୍ଷଣ ଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଏପରି ସ୍ଥଳେ ସେମାନେ ସ୍କୁଲକୁ ନ ଆସି ଅନଲାଇନରେ କ୍ଲାସ କରିବା ସହ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ଦରକାର । ଏଥିସହ କୋଭିଡର ସମସ୍ତ ଗାଇଡଲାଇନ ସ୍କୁଲଗୁଡ଼ିକରେ କଡ଼ାକଡ଼ା କରିବା ଦରକାର ବୋଲି ଶ୍ରୀ ସାହୁ ଡିଇଓମାନଙ୍କୁ ଅବଗତ କରିଛନ୍ତି ।

Get real time updates directly on you device, subscribe now.