fbpx

ନାଗାଲାଣ୍ଡ ଫାୟାରିଂକୁ ନେଇ ଅମିତ ଶାହାଙ୍କ ବୟାନ; କହିଲେ ସନ୍ଦିଗ୍ଧ ଆଶଙ୍କାରେ ଚଳାଯାଇଥିଲା ଗୁଳି

ନୂଆଦିଲ୍ଳୀ: ନାଗାଲାଣ୍ଡ ଫାୟାରିଂକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ବୟାନ ରଖିଛନ୍ତି । ଅମିତ ଶାହା କହିଛନ୍ତି ଯେ ଏମିତି ଭୁଲ ପରିଚୟ ଯୋଗୁଁ ହୋଇଛି । ସେନା ସେମାନଙ୍କୁ ସନ୍ଦିଗ୍ଧ ଭାବି ଫାୟାରିଂ କରିଥିଲେ । ଏହି ଫାୟାରିଂରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ଗୃହମନ୍ତ୍ରୀ କହିଛନ୍ତି ସେନାର ୨୧ ପାରା କମାଣ୍ଡୋଙ୍କୁ ସୂଚନା ମିଳିଥିଲା ଯେ ମୋନ ଜିଲ୍ଲାର ତିରୁ ଅଞ୍ଚଳରେ ସନ୍ଦିଗ୍ଧ ବିଦ୍ରୋହୀଙ୍କ ମେଳି ହୋଇପାରେ । ଏହାପରେ ସେନା ସେଠାରେ ଜାଲ ବିଛାଇଥିଲେ । ଶନିବାର ସନ୍ଧ୍ୟାରେ ଯେତେବେଳେ ସେଠାରୁ ଏକ ଗାଡ଼ି ଯିବାକୁ ଉଦ୍ୟମ କରିଥିଲା ସେତେବେଳେ ସେନା ଏହି ଗାଡ଼ିକୁ ଅଟକିବାକୁ କହିଥିଲେ କିନ୍ତୁ ତାହା ଅଟକିନଥିଲା ବରଂ ଜୋରରେ ସେଠାରେ ପଳାଇବାକୁ ଉଦ୍ୟମ କରିଥିଲା । ଏହାପରେ ସେନା ଗାଡ଼ିରେ ସନ୍ଦିଗ୍ଧଙ୍କ ଥିବା ଭାବି ଗୁଳିଚଳାଇଥିଲେ । ଫଳରେ ଏହି ଗାଡ଼ିରେ ଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ପରେ ଏହା ଭୁଲ ପରିଚୟର ମାମଲା ବୋଲି ଜଣାପଡ଼ିଥିଲା ।

ପରେ ୨ ଆହତଙ୍କୁ ସେନା ଦ୍ୱାରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ସେନାର ଏକ ଦଳକୁ ଘେରିଥିଲେ ସେମାନଙ୍କ ଗାଡ଼ିକୁ ଜଳାଇଦେଇଥିଲେ ଏବଂ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହାଯୋଗୁଁ ଜଣେ ଯବାନଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା, ଏବଂ ଅନେକ ଯବାନ ଆହତ ମଧ୍ୟ ହୋଇଛନ୍ତି । ନିଜର ସୁରକ୍ଷା କରିବାକୁ ଯାଇ ସୁରକ୍ଷା ବଳକୁ ଗୁଳି ଚଳାଇବାକୁ ପଡ଼ିଥିଲା ଯାହାଫଳରେ ୭ ନାଗରିକଙ୍କ ମୃତ୍ୟୁ ହୋଇଥିଲା ତଥା କିଛି ନାଗରିକ ଆହତ ହୋଇଥିଲେ ।

ଅମିତ ଶାହା ଆହୁରି କହିଛନ୍ତି ସ୍ଥାନୀୟ ପ୍ରଶାସନ ସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା ଚଳାଇଛି । ସେଠାରେ ପରିସ୍ଥିତି ଉଦବେଗଜନକ ରହିଛି କିନ୍ତୁ କାବୁରେ ରହିଛି । ସେ ଆହୁରି କହିଛନ୍ତି ଏହି ମାମଲାରେ ପୋଲିସ ମାମଲା ରୁଜୁ କରିଛି ଏବଂ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି । ଯାଞ୍ଚ ପାଇଁ ଏକ ଏସଆଇଟି ଟିମ୍ ମଧ୍ୟ ଗଠନ ହୋଇଛି । ଏକ ମାସ ମଧ୍ୟରେ ଯାଞ୍ଚ କରି ରିପୋର୍ଟ ଦେବ । ଘଟଣାରେ ପରେ କିଛି ଲୋକ ଆସାମ ରାଇଫଲ ୟୁନିଟ୍ ରେ ଭଙ୍ଗାରୁଜା କରିଥିଲେ । ନିଆଁ ମଧ୍ୟ ଲଗାଇଥିଲେ । ଏହାପରେ ଆସାମ ରାଇଫଲକୁ ଗୁଳି ଚଳାଇବାକୁ ପଡ଼ିଥିଲା । ଯେଉଁଥିରେ ଆଉ ଜଣକର ମୃତ୍ୟୁ ହୋଇଥିଲା । ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବଢ଼ାଯାଇଛି ।

Get real time updates directly on you device, subscribe now.