fbpx

ପୁଣି ମେଡିକାଲ କଲେଜରେ କରୋନା ଆତଙ୍କ: ୪୩ ଅନ୍ତବାସୀଙ୍କ ସହ ଷ୍ଟାଫ୍ ସଂକ୍ରମିତ, ଆହୁରି ବଢ଼ିପାରେ ସଂଖ୍ୟା

ହାଇଦ୍ରାବାଦ: ଶିକ୍ଷାନୁଷ୍ଠାନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ । ସ୍ଥାନୀୟ ଏକ ମେଡିକାଲ କଲେଜରେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାର କରିମନଗର ଜିଲ୍ଲାର ବୋମକ୍କଲରେ ସ୍ଥିତ ଆନନ୍ଦ ରାଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ୪୩ ଛାତ୍ର ଏବଂ ଷ୍ଟାଫ କରୋନାରେ ସଂକ୍ରମିତ ହୋଇଛନ୍ତି । କଲେଜ ପ୍ରଶାସନ ଜଣେ ଛାତ୍ରଙ୍କ ନିକଟରେ କରୋନା ଲକ୍ଷଣ ଦେଖିବା ପରେ ୨୦୦ ଛାତ୍ର ଏବଂ ଷ୍ଟାଫ୍‌ଙ୍କ କୋଭିଡ ପରୀକ୍ଷା କରିଥିଲେ । ସଂକ୍ରମିତ ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ହଷ୍ଟେଲରେ ରହୁଥିବା ଛାତ୍ର ଅଛନ୍ତି ।

ସୂଚନା ମୁତାବକ, ଉକ୍ତ କଲେଜରେ ନିକଟରେ ବାର୍ଷିକ ଉତ୍ସବ ଆୟୋଜନ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ କଲେଜ ଏବଂ ହଷ୍ଟେଲକୁ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି । ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ଆହୁରି କିଛି ଛାତ୍ର ଏବଂ ଷ୍ଟାଫଙ୍କ କରୋନା ରିପୋର୍ଟ ଆସିବା ବାକି ଅଛି । ଏହାପୂର୍ବରୁ ଡିସେମ୍ବର ୨ରେ ରାଜ୍ୟର ସାଙ୍ଗେରେଡି ଜିଲ୍ଲାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ୨୭ ଜଣ ଛାତ୍ର ଏକାସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏଥିସହିତ, କିଛି ଦିନ ପୂର୍ବେ ୪୮ ଜଣ ଛାତ୍ର ଉକ୍ତ ଜିଲ୍ଲାର ମହାତ୍ମା ଜ୍ୟୋତିବା ଫୁଲେ ଆବାସିକ ବିଦ୍ୟାଳୟରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.