fbpx

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍, ଡୋକଲାମରେ ଚୀନକୁ ଘଉଡାଇବା, ଏମିତି ଥିଲା ବିପିନ ରାଓ୍ଵତଙ୍କ ବୀରତ୍ଵ ଗାଥା

ନୂଆଦିଲ୍ଲୀ: ଆଉ ଦୁନିଆରେ ନାହାନ୍ତି ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ଵତ। ବୁଧବାର ସକାଳେ ତାମିଲନାଡୁର କୁନ୍ନୁର ନିକଟରେ ଘଟିଥିଭା ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ସହିତ ତାଙ୍କ ପତ୍ନୀ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଗୋରଖା ରେଜିମେଣ୍ଟର ଚତୁର୍ଥ ଅଧିକାରୀ ଥିବା ବିପିନ ପରବର୍ତ୍ତୀ ସମୟରେ ଦେଶର ସେନାଧ୍ୟକ୍ଷ ହୋଇଥିଲେ। ସେନାର କମାଣ୍ଡ ସମ୍ଭାଳିବା ସମୟରେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍, ଡୋକଲାମରେ ଚୀନ ସେନାକୁ ପଛକୁ ହଟାଇବା ଏବଂ ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଲଗାଇବା ପରେ ପରିସ୍ଥିତି ସମ୍ଭାଳି ବା ସମେତ ଅନେକ ବୀରତ୍ଵପୂର୍ଣ୍ଣ କାମ କରି ଦେଖାଇଛନ୍ତି ବିପିନ ରାଓ୍ଵତ। ତାଙ୍କର ବୀରତ୍ଵରୁ ଜଣା ପଡେ ବିପିନ ରାଓ୍ଵତ କେଉଁ ଧରଣର ବ୍ୟକ୍ତି ଥିଲେ।
ଜେନେରାଲ ବିପିନ ରାଓ୍ଵତ ୨୦୧୯ରେ ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ)ର ପଦ ସମ୍ଭାଳିଥିଲେ। ବର୍ତ୍ତମାନର ଆହ୍ଵାନର ସମ୍ମୁଖୀନ ପାଇଁ ଭାରତର ସଶସ୍ତ୍ର ବଳର ପୂନର୍ଗଠନରେ ସରକାରଙ୍କ ପ୍ରୟାସକୁ ଆଗକୁ ନେବା ପାଇଁ ସିଡିଏସ ପଦ ସୃଷ୍ଟି କରାଯାଇଥିଲା। ଜେନେରାଲ ରାଓ୍ଵତଙ୍କ କାର୍ଯ୍ୟ ଦକ୍ଷତା କେତେ ଥିଲା ତାହା ଏଥିରୁ ଅନୁମାନ କରି ପାରିବେ ଯେ, ସ୍ଥଳସେନା ପ୍ରମୁଖ ପଦରୁ ଅବସର ନେବାର ଠିକ୍ ପୂର୍ବରୁ ତାଙ୍କୁ ସିଡିଏସ ପାଇଁ ନାମିତ କରାଯାଇଥିଲା। ସିଡିଏସ ଭାବେ ତାଙ୍କର କାର୍ଯ୍ୟକାଳ ୨୦୨୨ରେ ଶେଷ ହେବାର ଥିଲା। ମାତ୍ର ସମୟ ପୂର୍ବରୁ ସେ ଦୁନିଆ ଛାଡି ଚାଲିଗଲେ।
ଏନଡିଏରୁ ଆଇଏମଏ ପର୍ଯ୍ୟନ୍ତ ଯାତ୍ରା
ଜେନେରାଲ ବିପିନ ରାଓ୍ଵତ ମହାରାଷ୍ଟ୍ରର ଖଡକଓ୍ଵାସଲାରେ ଜାତୀୟ ରକ୍ଷା ଏକାଡେମୀରେ ଯୋଗ ଦେବା ପୂର୍ବରୁ ସିମାଲରେ ସେଣ୍ଟ ଏଡଓ୍ଵାର୍ଡ ସ୍କୁଲରେ ଛାତ୍ର ଥିଲେ। ଏହା ପରେ ଉତ୍ତରାଖଣ୍ଡର ଡେରାଡୁନରେ ଭାରତୀୟ ସୈନ୍ୟ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ଜେନେରାଲ ରାଓ୍ଵତ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ପାଦ ଚଲା ସେନା ବାଟାଲିୟମର କମାଣ୍ଡ ସମ୍ଭାଳିଥିଲେ। ସେ କାଶ୍ମୀର ଘାଟିରେ ଏକ ପାଦ ଚଲା ସେନା ଡିଭିଜନ ଓ ପୂର୍ବୋତରରେ ଏକ କୋର କମାଣ୍ଡର ଦାୟିତ୍ଵ ମଧ୍ୟ ସମ୍ଭାଳିଥିଲେ।
ଗୋରଖା ରେଜିମେଣ୍ଟରୁ ସେନା ପ୍ରମୁଖ
ଜେନେରାଲ ବିପିନ ରାଓ୍ଵତ ଗୋରଖା ରେଜିମେଣ୍ଟର ଅଧିକାରୀ ଥିଲେ। କିନ୍ତୁ ଉକ୍ତ ରେଜିମେଣ୍ଟର ଚତୁର୍ଥ ଅଧିକାରୀ ଭାବେ ସେ ଦେଶର ସେନାଧ୍ୟକ୍ଷ ହୋଇ ପାରିଥିଲେ। ସିଡିଏସ ଭାବେ ଜେନେରାଲ ରାଓ୍ଵତ ପ୍ରତିରକ୍ଷା ମାମଲାରେ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ଥିଲେ। ଏହି ଭୂମିକାରେ ଜେନେରାଲ ରାଓ୍ଵତ ସଶସ୍ତ୍ର ବଳର ତିନି ଶାଖା ଭାରତୀୟ ସେନା, ଭାରତୀୟ ସେନା ବାୟୁସେନା ଓ ଭାରତୀୟ ନୌସେନା ମଧ୍ୟରେ ଉନ୍ନତ ସମନ୍ଵୟ ଉପରେ ଗୁରୁତ୍ଵ ଦେଇଥିଲେ। ଜେନେରାଲ ରାଓ୍ଵତଙ୍କୁ ୨୦୧୬ ଡିସେମ୍ବରରେ ସେନାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏହା ପରେ ଚାରି ଷ୍ଟାରର ସୈନ୍ୟ ଅଧିକାରୀ ଜେନେରାଲ ରାଓ୍ଵତଙ୍କୁ ୨୦୧୯ ଡିସେମ୍ବର ୩୦ରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଭାବେ ନିଯୁକ୍ତ କରାଯାଇଥିଲା।
ସୈନ୍ୟ କ୍ୟାରିୟର
ଜେନେରାଲ ରାଓ୍ଵତ ଜଣେ ବ୍ରିଗେଡିୟର କମାଣ୍ଡର, ଜେନେରାଲ ଅଫିସର କମାଣ୍ଡିଙ୍ଗ୍ ଇନ ଚିଫ(ଜିଓସି-ସି) ଦକ୍ଷିଣ କମାଣ୍ଡ, ସୈନ୍ୟ ସଞ୍ଚାଳନ ନିର୍ଦ୍ଦେଶାଳୟରେ ଜେନେରାଲ ଷ୍ଟାଫ ଅଫିସର ଗ୍ରେଡ-୨, କର୍ଣ୍ଣେଲ ସୈନ୍ୟ ସଚିବ ଏବଂ ଉପ ସୈନ୍ୟ ସଚିବ ପଦରେ ଚାରି ଦଶନ୍ଧି କାର୍ଯ୍ୟ କରିଥିଲେ। ଜେନେରାଲ ରାଓ୍ଵତ ଜୁନିୟର କମାଣ୍ଡ ଓ୍ଵିଙ୍ଗରେ ସୈନ୍ୟ ସଚିବର ଶାଖା ଓ ବରିଷ୍ଠ ପ୍ରଶିକ୍ଷକ ପଦରେ ମଧ୍ୟ ରହିଛନ୍ତି। ସେ ମିଳିତ ଜାତିସଂଘ ଶାନ୍ତି ସେନା(ୟୁଏନପିଏଫ)ର ଅଂଶ ଥିଲେ। ସେ କୋଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟରେ ଏକ ବହୁରାଷ୍ଟ୍ରୀୟ ବ୍ରିଗେଡ୍ର କମାଣ୍ଡ ସମ୍ଭାଳିଥିଲେ।

ସର୍ଜିକାଲ ଷ୍ଟ୍ରାଇକ୍ ଉଡାଇଥିଲା ପାକିସ୍ତାନ ନିଦ
ନିଜର ବହୁତ ସଫଳ କ୍ୟାରିୟରରେ ଜେନେରାଲ ବିପିନ ରାଓ୍ଵତଙ୍କ ନାମରେ ଅନେକ ଉପଲବ୍ଧି ରହିଛି। ଜେନେରାଲ ରାଓ୍ଵତ ପୂର୍ବୋତରରେ ଉଗ୍ରବାଦକୁ ନିୟନ୍ତ୍ରିତ କରିବା, ମିଆଁମାରରେ ୨୦୧୫ ସୀମା ପାର ଅପରେସନର ନିରୀକ୍ଷଣ ଓ ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ୍ରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ।
ଡୋକଲାମରେ ଚୀନକୁ ଜବାବ
୨୦୧୭ରେ ଡୋକଲାମରେ ଭାରତୀୟ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଚୀନ ଡୋକଲାମରେ ଗୋଟିଏ ଅଂଶରେ ସଡକ ନିର୍ମାଣ କରୁଥିଲା। ତେବେ ଭାରତୀୟ ସେନାର ତୀବ୍ର ବିରୋଧ ପରେ ଦୁଇ ସେନ ମଧ୍ୟରେ ଯୁଦ୍ଧ ପରି ସ୍ଥିତି ଉତ୍ପନ ହୋଇଥିଲା। ୭୦ରୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ଗତିରୋଧରେ ଭାରତୀୟ ସେନା ଜେନେରାଲ ବିପିନ ରାଓ୍ଵତଙ୍କ ନେତୃତ୍ଵରେ ଚୀନ ସେନାର ଆଖିରେ ଆଖି ମିଶାଇ ସାମ୍ନା କରିଥିଲେ। ଶେଷରେ ଚୀନକୁ ବାଧ୍ୟ ହୋଇ ପଛକୁ ହଟିବାକୁ ପଡିଥିଲା।
କାଶ୍ମୀରରେ ଅପରେସନ ଅଲଆଉଟ୍
ବିପିନ ରାଓ୍ଵତ କମାଣ୍ଡ ସମ୍ଭାଳିବା ପରେ ୨୦୧୭ରେ ଭାରତୀୟ ସେନା ପକ୍ଷରୁ ଅପରେସନ ଅଲଆଉଟ୍ ଲଞ୍ଚ କରିଥିଲା। ଏହି ଅପରେସନ ଜରିଆରେ ଜାମ୍ମୁ-କାଶ୍ମୀରରେ ଅନେକ ଆତଙ୍କୀ ସଂଗଠନକୁ ମୂଳପୋଛ କରାଯାଇଥଲା।
ଅନୁଚ୍ଛେଦ ୩୭୦ ହଟିବା ପରେ ସମ୍ଭାଳିଥିଲେ ମୋର୍ଚ୍ଚା
କେନ୍ଦ୍ର ସରକାର ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ଏହି ସମୟରେ ମୋଦୀ ସରକାରଙ୍କ ସାମ୍ନାରେ ସବୁଠୁ ବଡ ଚ୍ୟାଲେଞ୍ଜ ଶାନ୍ତି ବଜାୟ ରଖିବା ଥିଲା। ତେଣୁ ସରକାର ଘାଟିରେ ବଡ ସଂଖ୍ୟାରେ ସେନା ଯବାନ କାଶ୍ମୀରରେ ମୁତୟନ କରିଥିଲେ। ଜେନେରାଲ ବିପିନ ରାଓ୍ଵତ ପୁରା ମୋର୍ଚ୍ଚା ନିଜେ ସମ୍ଭାଳି ଘାଟିରେ ଶାନ୍ତି ସ୍ଥାପନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ ଏବଂ ସେନା ମେଡାଲରେ ଅଳଙ୍କୃତ ଜେନେରାଲ ବିପିନ ରାଓ୍ଵତ ଭାରତୀୟ ସେନାର ସେବାରେ ସମର୍ପିତ ଥିଲେ।

Get real time updates directly on you device, subscribe now.