fbpx

ଓଡ଼ିଶା ପାଇଁ ଆସୁଛି ବଡ଼ ବାତ୍ୟା! ୧୭ ତାରିଖରେ କରିବ ଲ୍ୟାଣ୍ଡଫଲ୍: ଉତ୍ତର-ପଶ୍ଚିମ ଦିଗରେ ବଢିଚାଲିଛି ଘୂର୍ଣ୍ଣିବଳୟ

ନୂଆଦିଲ୍ଲୀ: ଛଟ୍ ପୂଜା ସମୟରେ ଦେଶବାସୀଙ୍କ ପାଇଁ ମାଡ଼ି ଆସୁଛି ଏକ ବଡ଼ ବାତ୍ୟା । ଆସନ୍ତା ୧୭ ତାରିଖରେ ଏହା ଲାଣ୍ଡଫଲ କରିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବାୟୁକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଥିବା କହିଛି ପାଣିପାଗ ବିଭାଗ । ଆସନ୍ତା ୧୭ ତାରିଖରେ ଏହି ବାତ୍ୟା ତଟୀୟ ଅଞ୍ଚଳରେ ଲାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ବାତ୍ୟା ଫଳରେ ପବନର ବେଗ ବୃଦ୍ଧି ପାଇବା ସହିତ ପ୍ରବଳ ବର୍ଷା ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

IMD ର ସୂଚନା ଅନୁଯାୟୀ, ବଙ୍ଗାଲର ଖାଡ଼ି ଏବଂ ଆଣ୍ଡାମାନ-ନିକୋବର ଉପରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ଆଗେଇ ଯିବା ନେଇ ଆଶା କରାଯାଉଛି । ତେବେ ନଭେମ୍ବର ୧୫ ତାରିଖରେ ଏହା ଏକ ଘୂର୍ଣ୍ଣିବଳୟର ରୂପ ନେଇପାରେ । ଏହାପରେ ନଭେମ୍ବର ୧୬ ତାରିଖରେ ଏହି ଘୂର୍ଣ୍ଣିବଳୟ ଆହୁରି ଭୟଙ୍କର ରୂପ ନେଇ ଏହି ଦିନ ଆନ୍ଧ୍ରପ୍ରଦେଶର ତଟୀୟ ଅଞ୍ଚଳରେ ଲାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ନଭେମ୍ବର ୧୭ ତାରିଖ ଉତ୍ତର ଦିଗରେ ରାସ୍ତା ବଦଳାଇ ଓଡ଼ିଶାରେ ପହଞ୍ଚିବ ଏହି ବାତ୍ୟା । ଏହା ପ୍ରଭାବରେ ତଟବର୍ତ୍ତୀ ଅଞ୍ଚଳରେ ପବନର ଗତି ବଢିବା ସହିତ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ମଧ୍ୟ ୧୬-୧୮ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବୃଦ୍ଧି ହୋଇପାରେ । ତେବେ ପାଣିପାଗ ବିଭାଗ ଅନୁସାରେ, ଏହି ବାତ୍ୟା ଯୋଗୁଁ ବିହାର ଏବଂ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ମଧ୍ୟ ହାଲକା ବର୍ଷା ଏବଂ ପବନ ବହିପାରେ । ଏହାଦ୍ୱାରା ତାପମାତ୍ରା ମଧ୍ୟ ହ୍ରାସ ପାଇବା ସହ ଥଣ୍ଡା ବଢିବ ।

ଏହି ବାତ୍ୟାକୁ ନେଇ ପାଣିପାଗ ବିଭାଗ ତରଫରୁ ସାଧାରଣ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢିବା ସହ ଭୂସ୍ଖଳନ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କ ପାଇଁ ସମୁଦ୍ର ଭିତରକୁ ଯିବା ବାରଣ କରାଯାଇଛି । ଏହାସହିତ ପାଣିପାଗ ବିଭାଗର ପରାମର୍ଶ ଉପରେ ଗୁରୁତ୍ୱ ଦେବା ସହିତ ଏହାକୁ ପାଳନ କରିବା ପାଇଁ ଲୋକଙ୍କୁ ଅପିଲ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Get real time updates directly on you device, subscribe now.