ଭକ୍ତ ବେଶରେ ଆସିଲେ, କିନ୍ନର ଆଖଡାର ମହାମଣ୍ଡଳେଶ୍ୱରଙ୍କୁ ଛୁରାମାଡ଼ କଲେ
ମହାକୁମ୍ଭରେ ଆଘଟଣ। ଭକ୍ତ ବେଶରେ ଆସି ମାତାଙ୍କ ଉପରେ ଆକ୍ରମଣ। ଛୁରାମାଡ଼ ଘଟଣାରେ ମାତାଙ୍କ ସମେତ ୫ ଆହତ।
ପ୍ରୟାଗରାଜ: ମହାକୁମ୍ଭରେ ପୁଣି ଏକ ଅଘଟଣ। ଭକ୍ତ ବେଶରେ ଆସିଲେ ଛୁରାମାଡ଼ କରି ଚାଲିଗଲେ। ସେ ପୁଣି ଜଣେ ମାତାଙ୍କୁ। ତଳେ ଲହୁ ଲୁହାଣ ହୋଇ ଛଟପଟ ହେଉଥିଲେ କିନ୍ନର ମାତା।
ଆଉ ମାତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣର ଶୀକାର ହେଲେ ଅନ୍ୟ ୪ ଜଣ ଶିଷ୍ୟ। ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରୟାଗରାଜର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଆକ୍ରମଣକାରୀ ଫେରାର ଥିବା ବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
ମହାକୁମ୍ଭରେ ଛୁରାମାଡ଼: ପ୍ରୟାଗରାଜର ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ପ୍ରତ୍ୟେକ ଦିନ ହଜାର ହଜାର ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି। ହେଲେ ଏହାରି ଭିତରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଛି।
ନିକଟରେ ମହାକୁମ୍ଭରେ ଦଳାଚକଟା ପରିସ୍ଥିତି ଦେଖା ଦେଇଥିଲା। ଯେଉଁଥିରେ ଅନେକ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଇଥିଲା। ଆଉ ପରେ ସେଠାରେ ଦୁଇ ଦୁଇ ଥର ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସିଛି। ହେଲେ ଏବେ ଆଉ ଏକ ଘଟଣା। ମାତାଙ୍କ ଉପରେ ଛୁରାମାଡ ହୋଇଛି।
ଆର୍ଶୀବାଦ ନେବାକୁ ଆସି ଆକ୍ରମଣ: ସୂଚନାନୁସାରେ, କିନ୍ନର ଆଖାଡାର ମହାମଣ୍ଡଳେଶ୍ୱର ସଦସ୍ୟମାନେ ଶିବିରକୁ ଫେରିବା ସମୟରେ ୬ରୁ ଅଧିକ ଯୁବକ ଆର୍ଶୀବାଦ ନେବାକୁ ସେମାନଙ୍କ ପାଖରେ ପହଞ୍ଚିଥିଲେ।
ହେଲେ ବାହାନା କରି କିନ୍ନର ଆଖାଡାର ମହାମଣ୍ଡଳେଶ୍ୱର କଲ୍ୟାଣୀ ନନ୍ଦ ଗିରିଙ୍କ ନିକଟକୁ ଯାଇଥିଲେ। ପ୍ରଥମେ ମାତାଙ୍କ ସହ ପାଟିତୁଣ୍ଡ କରିଥିଲେ। ଆଉ ପରେ ଛୁରାମାଡ କରି ସେଠାରୁ ଛୁ ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆକ୍ରମଣ କାହିଁକି କଲେ: ତେବେ ଘଟଣାସ୍ଥଳରେ ମାତାଙ୍କ ଉପରକୁ ଛୁରାମାଡ ହେବାର ଦେଖି ପାଖରେ ଥିବା ଶିଷ୍ୟ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ମାତାଙ୍କୁ ବଞ୍ଚାଇବାକୁ ୪ ଜଣ ଶିଷ୍ୟ ମଧ୍ୟ ଆହତ ହେଲେ।
ପରେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ହେଲେ ମାତାଙ୍କ ଉପରକୁ କାହିଁକି ଛୁରାମାଡ ହେଲା ଏଯାଏଁ କାରଣ ଅସ୍ପଷ୍ଟ ରହିଛି।