ଇଣ୍ଡିଗୋ ବିମାନ ଭିତରେ ମଦ ପିଇ ଯାତ୍ରୀଙ୍କ ତାଣ୍ଡବଲୀଳା, କ୍ରୁ ସଦସ୍ୟକୁ କଲେ ଅସଦାଚରଣ
ବିମାନ ଭିତରେ ଯାତ୍ରୀଙ୍କ ହଙ୍ଗାମା।
ନୂଆଦିଲ୍ଲୀ: ବିମାନରେ ହଙ୍ଗାମା। ମଦ ପିଇ ବିମାନ ଭିତରେ ତାଣ୍ଡବ କଲେ ଯାତ୍ରୀ। ଏପରିକି ବିମାନର କ୍ର୍ୟୁଙ୍କ ସହ ମଧ୍ୟ ଖରାପ ବ୍ୟବହାର କରିଥିଲେ। ଯାତ୍ରୀ ଜଣକ ମୁର୍ଖ କିମ୍ୱା ଏମିତି ସେମିତି ବ୍ୟାକ୍ତି ନଥିଲେ, ଜଣେ ଶିକ୍ଷିତ ଏବଂ ପେଶାରେ ମଧ୍ୟ ଓକିଲ ଥିଲେ।
ହେଲେ ମଦ ପିଇବା ପରେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ। ବିମାନରେ ଚଢ଼ିବାପରେ ଯାତ୍ରୀ ଜଣକ ନିଜର ହରକତ ଆରମ୍ଭ କରିଦେଇଥିଲେ।
ପ୍ଲେନ୍ ଭିତରେ ଧାର୍ମିକ ସ୍ଲୋଗାନ୍ ଦେବା ସହ ଯାତ୍ରୀମାନଙ୍କୁ ହଇରାଣ କରିଥିଲେ। ଏପରିକି କ୍ରୁ ସଦସ୍ୟଙ୍କୁ ଅସଦାଚରଣ ମଧ୍ୟ କରିଥିଲେ।
ବିମାନରେ ଯାତ୍ରୀଙ୍କ ହଙ୍ଗାମା: ସେପ୍ଟେମ୍ୱର ମାସ ୧ ତାରିଖରେ ଦିଲ୍ଲୀରୁ କୋଲକାତା ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ 6E 6571 ରେ ଜଣେ ଯାତ୍ରୀ ହଙ୍ଗାମା କରିଥିବା ଖବର ସାମ୍ନାକୁ ଆସିଛି।
କୁହାଯାଉଛି 31D ନମ୍ବର ସିଟରେ ବସିଥିବା ଜଣେ ଯାତ୍ରୀ ବିମାନରେ ମଦପିଇ ଚଢିଥିଲେ। ଆଉ ବିମାନ ଭିତରେ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ।
ପେଶାରେ ଉକ୍ତ ବ୍ୟକ୍ତି ଜଣକ ଜଣେ ଓକିଲ ଥିଲେ, ହେଲେ ନିଅତ ପୁରା ଖରାପ ଥିଲା। ବ୍ୟକ୍ତି ଜଣକ ବିମାନରେ ଧାର୍ମିକ ସ୍ଲୋଗାନ ଦେଉଥିବା ବେଳେ, ଅନ୍ୟ ଯାତ୍ରୀମାନଙ୍କୁ ହଇରାଣ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହି କାରଣରୁ ବିମାନଟି ୩ ଘଣ୍ଟା ବିଲମ୍ୱରେ ଦିଲ୍ଲୀରୁ ଛାଡ଼ିଥିଲା।
ଇଣ୍ଡିଗୋ ଘଟଣାକୁ ନିଶ୍ଚିତ କରିଛି: ଇଣ୍ଡିଗୋ ଏହି ଘଟଣାକୁ ନେଇ କହିଛି ଯେ, କୋଲକାତାରେ ପହଞ୍ଚିବା ପରେ ଉକ୍ତ ଯାତ୍ରୀଙ୍କ ଖରାପ ବ୍ୟବହାର ପାଇଁ ତାଙ୍କୁ ସୁରକ୍ଷାକମ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏହି ମାମଲାରେ ବିମାନ କମ୍ପାନୀ ଅଭିଯୋଗ ଦାଖଲ କରିଛି ଏବଂ ତଦନ୍ତ ଚାଲିଛି। ଇଣ୍ଡିଗୋ ସ୍ପଷ୍ଟ ଭାବରେ କହିଛି ଯେ କମ୍ପାନୀ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏପରି କାର୍ଯ୍ୟକୁ ସହ୍ୟ କରେ ନାହିଁ। ହେଲେ ଅଭିଯୁକ୍ତ ଯାତ୍ରୀ ଜଣକ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସେ ଦାବି କରିଛନ୍ତି ଯେ ସେ ବିମାନରେ ମଦ୍ୟପାନ କରି ନାହାଁନ୍ତି, କିନ୍ତୁ ବିମାନରେ ଚଢ଼ିବା ପୂର୍ବରୁ ଏକ ବିୟର କିଣିଥିଲେ ଯାହାର ରସିଦ ତାଙ୍କ ପାଖରେ ଅଛି। ଯାତ୍ରୀ ଏବଂ କର୍ମଚାରୀ ଉଭୟ ପରସ୍ପର ବିରୁଦ୍ଧରେ ଅଭିଯୋଗ ଦାଖଲ କରିଛନ୍ତି ଏବଂ ଏହି ମାମଲା ତଦନ୍ତାଧୀନ ଅଛି।