fbpx

ଗହ୍ମା ପୂର୍ଣ୍ଣିମାରେ ସହିଦଙ୍କ ରକ୍ତରେ ଭିଜିଥିଲା ଏହି ମାଟି…ତ୍ୟାଗ, ବଳିଦାନ ଓ ଦେଶ ପ୍ରେମକୁ ନେଇ ଏକ ନିଚ୍ଛକ କାହାଣୀ

ଯାଜପୁର: ଏହା ଏକ କାହାଣୀ ନୁହେଁ, ଏହା ହେଉଛି ଏକ ବାସ୍ତବ ଘଟଣା । ବରୀ ମାଟି ବୀର ମାଟି । ୧୯୪୨ ମସିହା ଅଗଷ୍ଟ ମାସ ୨୬ ତାରିଖ ସେଦିନ ଥିଲା ଗହ୍ମା ପୂର୍ଣ୍ଣମୀ । ଯେଉଁଦିନ ବ୍ରିଟିଶ ପୋଲିସଙ୍କର ଗୁଳି ବର୍ଷାରେ ରକ୍ତରଞ୍ଜିତ ହୋଇଥିଲା ବରୀ କଳାମାଟିଆ । ଶେଷରେ ତ୍ୟାଗ, ବଳିଦାନ ଓ ଦେଶ ପ୍ରେମକୁ ନେଇ ଏହି ମାଟି ସହିଦଙ୍କ ରକ୍ତରେ ଭିଜିଥିଲା ।

ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳ । ପ୍ରତିବର୍ଷ ଗହ୍ମା ପୂର୍ଣ୍ଣମୀ ଆସିଲେ ଏଠାକାର ଲୋକଙ୍କ ଲୋମ ମୂଳ ଟାଙ୍କୁରି ଉଠେ । ଦେଶ ସ୍ୱାଧୀନ ହେବା ପଛରେ ଏହି ଘଟଣାର ଏକ ପ୍ରମୁଖ ଭୂମିକା ରହିଛି । ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀଙ୍କ ନେତୃତ୍ୱରେ ବରୀ ଅଞ୍ଚଳର ସଂଗଠିତ ହଜାର ହାଜର ସଂଗ୍ରାମୀମାନେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ ।

ଆଉ ଏହି ଭାରତ ଛାଡ ଆନ୍ଦୋଳନ ସମୟରେ ବରୀର ସଂଗ୍ରାମୀମାନେ ବାସୁଦେବ ସାମଲଙ୍କ ନେତୃତ୍ୱରେ କାଇପଡ଼ା ପୋଷ୍ଟ ଅଫିସ୍‌ରେ ନିଆଁ ଲଗାଇ ଦେଇଥିଲେ । ଏହା ପରେ ଗହ୍ମା ପୁର୍ଣ୍ଣମୀ ତିଥିରେ ସଂଗ୍ରାମୀମାନେ କାଇପଡ଼ା ଗୋଲାଠାରେ ସଭା କରୁଥିବା ବେଳେ ବ୍ରିଟିଶ ଫୌଜ ସେଠାରୁ ୧୧ଜଣଙ୍କୁ ବନ୍ଦୀ କରି କଳାମାଟିଆ ନିମ୍ନମୌଳିକ ବିଦ୍ୟାଳୟକୁ ନେଇଯାଇଥିଲେ। ସେଠାରୁ ସେମାନଙ୍କୁ ଡଙ୍ଗାରେ ବିଞ୍ଝାରପୁର ଥାନାକୁ ନିଆଯିବାକୁ ଉଦ୍ୟମ କରାଯାଉଥିବା ବେଳେ ବରୀ ଅଞ୍ଚଳର ଶହଶହ ସଂଗ୍ରାମୀ ସେଠାରେ ପହଞ୍ଚିଥିଲେ । ଏହାପରେ ଡିଏସ୍‌ପି ଲକ୍ଷ୍ମଣ ମିଶ୍ର ଓ ବିଞ୍ଝାରପୁର ଥାନା ସବ୍‌ ଇନ୍ସପେକ୍ଟର ନବାବ ଖାଁଙ୍କ ନିର୍ଦ୍ଦେଶରେ ବିହାରୀ ପୋଲିସ ଫୌଜ ସଂଗ୍ରାମୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଯାହା ଫଳରେ ଶ୍ରୀରାମପୁର ଗ୍ରାମର ସାଉଁଟି ମଳିକ, ହାଟସାହି ଗ୍ରାମର ମାୟାଧର ଭୂୟାଁ , କୃଷ୍ଣନଗର ଗ୍ରାମର ସାନନ୍ଦ ସ୍ୱାଇଁ ଓ ହାଡ଼ିବନ୍ଧୁ ପଣ୍ଡା ଶହୀଦ ହୋଇଥିବା ବେଳେ ଅନେକେ ଜଣ ଆହତ ହୋଇଥିଲେ ।

୧୯୪୨ ମସିହା ସେଦିନର ଗହ୍ମା ପୁର୍ଣ୍ଣମୀ ଗୁଳିକାଣ୍ଡକୁ ନେଇ ଆଜି ବରୀ ମାଟି ଗର୍ବ କରୁଛି । ଗହ୍ମା ପୁନେଇଁ ଆସିଲେ ବୀର ସହୀଦମାନଙ୍କ ସ୍ମୃତି ଆପେ ଆପେ ମନେପଡିଯାଏ । ଗୁଳିକାଣ୍ଡ ଘଟିଥିବା ସ୍ଥାନରେ ସ୍ମୃତି ସନ୍ତକ ଭାବେ ଠିଆ ହୋଇଛି ସହୀଦ ସ୍ତମ୍ଭ । ସେମାନଙ୍କ ତ୍ୟାଗ, ବଳିଦାନ ଓ ଦେଶ ପ୍ରେମକୁ ସମ୍ମାନ ଜଣାଇ କଳାମାଟିଆ ଓ ବରୀବାସୀ ସହିଦମାନଙ୍କୁ ଏହି ଦିନରେ ନିଜର ଶ୍ରଦ୍ଧାଞ୍ଜଳି ଜଣାଇଥା’ନ୍ତି । ଏହି ଗହ୍ମା ପୂର୍ଣ୍ଣମୀ ଅବସରରେ ବୀର ସହିଦ ମାନଙ୍କୁ ଶତ ଶତ ସଲାମ ।

 

Get real time updates directly on you device, subscribe now.