(Video) ଟ୍ରେନ ଟ୍ରାଜେଡି: ମୋ ଭାଇ ବଞ୍ଚିଥିଲା, କିନ୍ତୁ ତାକୁ ଶବ କହି ଫିଙ୍ଗିଦେଲେ: ୭ଟି ଶବ ତଳେ ଫସିଥିଲା କୁନିପୁଅ

ବାଲେଶ୍ୱର: କରମଣ୍ଡଳ ଦୁର୍ଘଟଣାରେ ୨୮୮ ଯାତ୍ରୀ ଅକାଳରେ ପ୍ରାଣ ହରାଇଛନ୍ତି । ଛୋଟ ପିଲାଠୁ ବୃଢା, ଅନେକ ନୀରିହ ଜୀବନ ନେଇଛି ଏହି ଭୟଙ୍କର ଦୁର୍ଘଟଣା । କିନ୍ତୁ ୟା ଭିତରେ ଆଉ ଏକ ଛାତିଥରା ଘଟଣା ଜାଣିବାକୁ ମିଳିଛି ଗୋଟିଏ କୁନି ଛୁଆକୁ ନେଇ । ଉଦ୍ଧାର କରିବା ସମୟରେ ଜଣେ ଜୀବନ୍ତ ୧୦ ବର୍ଷର କୁନି ପିଲାକୁ ମୃତ ବୋଲି ଭାବି ଫିଙ୍ଗି ଦିଆଯାଇଥିଲା । କିନ୍ତୁ ୩ ଦିନ ପରେ ତାକୁ ୭ଟି ଶବ ତଳୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି । ଏ ନେଇ ପିଲାଟିର ବଡ ଭାଇ କାନ୍ଦି କାନ୍ଦି କହିଛନ୍ତି ସେହି କାଳରାତ୍ରିର ଘଟଣା ।

ବାଲେଶ୍ୱର ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତଦେହ ଗୁଡିକ ମଧ୍ୟରେ ଫସି ରହିଥିଲା ଗୋଟିଏ ୧୦ ବର୍ଷର ଛୋଟପିଲା ଦେବାଶିଷ । ପିଲାଟି ବଞ୍ଚିଥିଲେ ବି ତାକୁ ମୃତଦେହମାନଙ୍କ ମଧ୍ୟରେ ଫିଙ୍ଗି ଦିଆଯାଇଥିଲା ବୋଲି କହିଛନ୍ତି ଦେବାଶିଷର ବଡ ଭାଇ । ସେ କହିଛନ୍ତି ଯେ, ମୋ ଭାଇ ବଞ୍ଚିଥିଲା, କିନ୍ତୁ ତାକୁ ମୃତ ବୋଲି ଭାବି ଫିଙ୍ଗି ଦିଆଯାଇଥିଲା । ଦୁର୍ଘଟଣାର ୩ ଦିନ ପରେ ଦେବାଶିଷକୁ ୭ ଜଣଙ୍କ ମୃତଦେହ ତଳୁ ମୁଁ ପାଇଥିଲି । ସୌଭାଗ୍ୟବଶତଃ ସେତେବେଳେ ଦେବାଶିଷ ସୁସ୍ଥ ରହିଥିଲେ । ଏହାପରେ ତାଙ୍କୁ ସେଠାରୁ ଆଣି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଖୁବଶୀଘ୍ର ଗରକୁ ଫେରିପାରନ୍ତି ବୋଲି ଆଶା କରାଯାଉଛି ।

ଭୟଙ୍କର କରମଣ୍ଡଳ ଦୁର୍ଘଟଣା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ପ୍ରକୃତରେ ପ୍ରଶଂସାଯୋଗ୍ୟ । କାରଣ ପ୍ରାୟ ୧୪୦୦ ମୃତାହତଙ୍କୁ ଉଦ୍ଧାର କରାଯିବା ସହ ଅନ୍ୟ ସୁରକ୍ଷିତ ଯାତ୍ରୀମାନଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଥିଲା ଏନଡିଆରଏଫ ଏବଂ ଓଡ୍ରାଫ ଟିମ୍ । ତାଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ଖୁବ ସାହାଯ୍ୟ କରିଛନ୍ତି । ଟ୍ରେନ ତଳୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସମୟରେ କିଏ ମୃତ କିଏ ଜୀବିତ ଜଣା ପଡିନଥିଲା । ଏହାପରେ ମଧ୍ୟ ସମସ୍ତଙ୍କୁ ଉଦ୍ଧାର କରିବା ଏକ ବଡ ସଫଳତା ବୋଲି କୁହାଯାଇପାରେ ।