ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ; 3ଦିନ ପ୍ରବଳ ବର୍ଷିବ, 40 କିମି ବେଗରେ ବହିବ ପବନ
କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତକାଲି ବା ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।
ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତକାଲି ବା ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ତ୍ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।
ଲଘୁଚାପ କ୍ଷେତ୍ର ସୃଷ୍ଟିର 48 ଘଣ୍ଟାରେ ଅଧିକ ଘନୀଭୂତ ହେବ । ଏନେଇ ରାଜ୍ୟରେ 3 ଦିନ ଧରି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ବର୍ଷର ସମ୍ଭାବନା ଥିବା ବେଳେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
୧୫ ତାରିଖ ଯାଏଁ ଅତି ପ୍ରବଳ ଓ ୧୬ ଯାଏଁ ପ୍ରବଳ ବର୍ଷା ଥିବା ବେଳେ ଏହା ପରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ। ତେଣୁ ୧୩ ରୁ ୧୬ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।