fbpx

କଥା କହୁଛି ଫଟୋ! ଦିନେ ନିକଟତମ ଅଧିକାରୀ ଥିଲେ, ଏବେ ବିରୋଧୀ ମଞ୍ଚରେ

ଭୁବନେଶ୍ୱର: ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପସନ୍ଦର ଅଫିସର ଥିବା ଅପରାଜିତା ଷଡ଼ଙ୍ଗୀ ବର୍ତ୍ତମାନ କିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପାଣି ପିଆଉଛନ୍ତି ତାହା ସମସ୍ତେ ଜାଣନ୍ତି । ସମୟ ଥିଲା ଯେେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସାହାସ ପାଇ ବିଭାଗୀୟ ମନ୍ତ୍ରୀଙ୍କୁ ବିଶେଷ ଗୁରୁତ୍ୱ ନଦେଇ ଅପରାଜିତା ନିଜେ ନିଷ୍ପତି ନେଉଥିବା ଆଲୋଚନା ହେଉଥିଲା । ଏହି ସମୟରେ ସେ ମାଷ୍ଟ୍ରମାଷ୍ଟ୍ରାଣୀଙ୍କର ଶାଢ଼ିକୁ ଗୋଲାପି କରିବାଠାରୁ ଆରମ୍ଭ କରି ସେମାନଙ୍କ ବଦଳି ପ୍ରସଙ୍ଗରେ ଅପରାଜିତା ଆଗେଇ ଯାଉଥିଲେ ।

ସେହିପରି ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଇଚ୍ଛା ନଥିଲେ ମଧ୍ୟ ଅପରାଜିତାଙ୍କ ସହିତ ଭୂବନେଶ୍ୱରର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ ।

ତେବେ ଅପରାଜିତା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ୨୦୧୯ ଲୋକସଭା ନିର୍ବାଚନ ପୁର୍ବରୁ ବିଜେପିରେ ଯୋଗ ଦେଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ ପାର୍ଟିରେ ଅପରାଜିତା । ଦିନେ ପିତୃତୂଲ୍ୟ ସମ୍ମାନ ଦେଉଥିବା ଅପରାଜିତା ଆଜି ନବୀନଙ୍କୁ କଡ଼ା ଭାଷାରେ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି । ଅପରାଜିତା ଭୁବନେଶ୍ୱର ସାଂସଦ ଥିବାରୁ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ତାଙ୍କ ଦଳ ବିଜେପିର ଟକରା ଟକରି ହୋଇଥାଏ ।

ତେବେ ଶନିବାର ରାଉରକେଲାକୁ ଭୁବନେଶ୍ୱରରୁ ବିମାନ ଉଡ଼ିବା ପରେ ଏବେ ରାଜ୍ୟରେ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ କାର୍ଯ୍ୟକ୍ରମରେ ରାଉରକେଲାକୁ ବିମାନ ସେବା ଆରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ନଥିବା ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍ କରିଥିଲା ।

କିନ୍ତୁ ଏହି ସମୟରେ ନବୀନ ଏବଂ ଅପରାଜିତାଙ୍କ ଏକ କଥାକୁହା ଫଟୋ କ୍ୟାମେରାରେ ସଂଗ୍ରହ ହୋଇଥିଲା । କୁହାଯାଏ ହଜାର ହଜାର ଶବ୍ଦରେ ଯେଉଁ କଥା କୁହାଯାଇ ନପାରେ ସେଇ କଥା ଗୋଟିଏ ଫଟୋ ପ୍ରକାଶ କରିଦିଏ । ତେବେ ଏହି ଫଟୋରେ ନବୀନ ଏବଂ ଅପରାଜିତାଙ୍କ ପୁରୁଣା ସମ୍ପର୍କ ଉଷ୍ମତାର ଝଲକ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି ।

 

 

Get real time updates directly on you device, subscribe now.