ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ଲୋକଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଉଛି । ଏହାରି ମଧ୍ୟରେ ଓଡ଼ିଶାରୁ ଚେନ୍ନାଇକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ । ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ବାହାରିବ ସ୍ପେଶାଲ ଟ୍ରେନ୍ । କଟକ, ଭୁବନେଶ୍ୱର ସମେତ ପ୍ରମୁଖ ଷ୍ଟେସନରେ ରହଣିର ବ୍ୟବସ୍ଥା ହୋଇଛି । ଏହି ଟ୍ରେନରେ ମୃତଦେହ ନେବାର ବ୍ୟବସ୍ଥା ରହିବ । ଆବଶ୍ୟକ ହେଲେ ପାର୍ସଲ ଭ୍ୟାନରେ ଯିବ ମୃତଦେହ । ଏହା ଫଳରେ ଫସି ରହିଥିବା ଯାତ୍ରୀ ଓ ପରିବାର ବର୍ଗ ଉପକୃତ ହେବେ ।
ଅନ୍ୟପଟେ ଏହି ଦୁର୍ଘଘଣାକୁ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ଘଟିବା ଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ସ୍ପେଶାଲ କଣ୍ଟ୍ରୋଲ ରୁମକୁ ପରିଦର୍ଶନ କରିବା ସହିତ ବହୁ ଅଧିକାରୀଙ୍କୁ ମୃତାହତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିଲେ । ସକାଳ ହେବା ପରେ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାସ୍ଥଳ ଗସ୍ତ କରିବା ସହିତ ଘଟଣାକୁ ଅନୁଧ୍ୟାନ କରିଥିଲେ । ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ଯେଉଁ ସାହସିକତା ଦେଖାଇଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ଭୂୟଶୀ ପ୍ରଶଂସାକରିଥିଲେ ।
ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ବାହାନଗା ଟ୍ରେନ ଦୁର୍ଘଟଣାର ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ଆହତଙ୍କୁ ମିଳିବ ୧ ଟଙ୍କାର ସହାୟତା ରାଶି । ଏଥି ସହିତ ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜ୍ଞାପନ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।