ଏଭଳି ମା’ କୁ ସଲାମ୍: ଲକ୍-ଡାଉନରେ ଫସିଥିଲା ପୁଅ, ୧୪୦୦ କି.ମି ସ୍କୁଟି ଚଲାଇ ନେଇଆସିଲେ ଘରକୁ

ସତରେ ମା’ଙ୍କ ସ୍ନେହର ତୁଳନା ନାହିଁ । ନିଜ ଛୁଆର ଭଲ ବା ସୁରକ୍ଷା ପାଇଁ ସେ ସମସ୍ତ ପରିସ୍ଥିତିକୁ ସାମନା କରିବାକୁ ଟିକେ ବି ଭାବନ୍ତିନାହିଁ । ଏଭଳି ଏକ ମା’ଙ୍କ ସାହସ ଦେଖିବାକୁ ମିଳିଛି ତେଲେଙ୍ଗାନାର ନିଜାମାବାଦରେ । ଲକ୍-ଡାଉନରେ ଫସିରହିଥିବା ନିଜ ପୁଅକୁ ଫେରାଇ ଆଣିବାକୁ ଜଣେ ମା ସ୍କୁଟି ଦ୍ୱାରା ୧୪୦୦ କିଲୋମିଟର ଯାତ୍ରା କରି ୩ ଦିନରେ ପୁଅକୁ ଘରକୁ ଫେରାଇ ଆଣିଛନ୍ତି ।

ତେବେ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ରହୁଥିବା ୫୦ ବର୍ଷୀୟ ରଜିଆ ବେଗମ ସୋମବାର ସକାଳେ ପୋଲିସର ଅନୁମତି ନେଇ ୭୦୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ନେଲ୍ଲୋରକୁ ଏକାକୀ ଯାତ୍ରା ଆରମ୍ଭ କରିଥିଲେ । ହାଇୱେରେ ସ୍କୁଟି ଚଳାଇ ବୁଧବାର ସନ୍ଧ୍ୟାରେ ସେ ନିଜ ପୁଅକୁ ନେଇ ନିଜ ଘରେ ପହଞ୍ଚିଥିଲେ । ଏହିପରି ଭାବେ ଯିବା ଆସିବା ମିଶାଇ ସେ ୩ ଦିନରେ ୧୪୦୦ କିଲୋମିଟର ଯାତ୍ରା କରି ପୁଅକୁ ଘରକୁ ଫେରାଇଆଣିବାରେ ସଫଳ ହୋଇଛନ୍ତି ।