fbpx

କୃଷକଙ୍କ ପାଇଁ ଏବେ ସବୁଠାରୁ ବଡ ଖୁସି ଖବର, ଆମେରିକା ପରି ଭାରତରେ ବି ଫଳାଇବେ ବଡ ବଡ ଆମ୍ବ, ପିଜୁଳି ଓ ପିଆଜ

ନୂଆଦିଲ୍ଲୀ: କୃଷକଙ୍କୁ ଏବେ ସବୁଠାରୁ ବଡ ଖୁସି ଖବର ମିଳିବାକୁ ଯାଉଛି । କେନ୍ଦ୍ରସରକାର ନାନୋ ୟୁରିଆ ଓ ନାନୋ ଡିଏପି ପରେ ଦେଶରେ ନାନୋ ରକ୍ ଫସଫେଟ୍ ଓ ନାନୋ ଜିଙ୍କ ଅକ୍ସାଇଡ୍ ଲଞ୍ଚ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ କହିବା ଅନୁଯାୟୀ ଦେଶରେ ଖୁବ୍ ଶୀଘ୍ର ନାନୋ ରକ୍ ଫସଫେଟ୍ ଓ ନାନୋ ଜିଙ୍କ ଅକ୍ସାଇଡ୍ କୃଷକଙ୍କ ଲାଗି ଉପଲବ୍ଧ ହେବ । କୃଷି ବୈଜ୍ଞାନିକଙ୍କ ମତରେ ଭାରତରେ ନାନୋ ରକ୍ ଫସଫେଟ୍ ଓ ନାନୋ ଜିଙ୍କ ଅକ୍ସାଇଡ୍ ଆସିବା ଦ୍ୱାରା ଆଳୁ, ହଳଦୀ, ଅଦା, ପିଆଜ, ରସୁଣ, ପିଜୁଳି ପରି ଫସଲରେ ଆମୂଳଚୂଳ ପରିବର୍ତ୍ତନ ପରିଲକ୍ଷିତ ହେବ ।

ନାନୋ ରକ୍ ଫସଫେଟ୍ ଓ ନାନୋ ଜିଙ୍କ ଅକ୍ସାଇଡ୍ ଭାରତରେ ଆସିବା ପରେ ଆମେରିକା ପରି ଭାରତରେ ମଧ୍ୟ ବଡ ବଡ ଆକାରର ପିଆଜ ଦେଖିବାକୁ ମିଳିବ । ଏ ପର୍ଯ୍ୟନ୍ତ ଆମ ଦେଶର କୃଷକ ଯେତେ ବି ମଞ୍ଜି ବଦଳାନ୍ତୁ କିନ୍ତୁ ପିଆଜର ଆକାର ବଢୁନାହିଁ । ନାନୋ ରକ୍ ଫସଫେଟ୍ ଓ ନାନୋ ଜିଙ୍କ ଅକ୍ସାଇଡ୍ ଖତ ଦେବା ଫଳରେ ବିଭିନ୍ନ ପନିପରିବାର ଆକାର ବୃଦ୍ଧି ପାଇବ । ଏହାଦ୍ୱାରା କୃଷକଙ୍କୁ ବଜାରରେ ନିଜ ଫସଲର ଭଲ ଦାମ୍ ବି ମିଳିବ । ନାନୋ ରକ୍ ଫସଫେଟ୍ ଜମିରେ ଫସଫରସ୍ ଅଭାବ ଦୂର କରିବା ଲାଗି ଦିଆଯାଏ । ନାନୋ ଜିଙ୍କ ଅକ୍ସାଇଡ୍ ଫସଲକୁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିବା ଓ ସୁସ୍ଥ ରଖିବାକୁ ଦିଆଯାଇଥାଏ । ଏହି ନାନୋ ଉର୍ବରକ ସମସ୍ତ ପ୍ରମୁଖ ଫସଲରେ ଫସଫରସ୍ ଅଭାବ ଦୂର କରିବ । ଏହା ସହିତ ବିଭିନ୍ନ ଫସଲର ଉତ୍ପାଦନ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏହି ନାନୋ ଟେକ୍ନୋଲଜି ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀଙ୍କ ହାଇପାୱାର କୃଷି ଓ ଏମଏସପି ପରାମର୍ଶଦାତା ସମିତି ସଦସ୍ୟ ବିନୋଦ ଆନନ୍ଦ କହିଛନ୍ତି, ଗୋଟିଏ ନାନୋ ବୋତଲ ୨୦ ଗ୍ରାମ ସହ ସମାନ ଅଟେ । ଫସଲର ଗୁଣବତ୍ତା ସୁଧାରିବାକୁ ଏହି ଦୁଇଟିର ବହୁତ ଆବଶ୍ୟକତା ରହିଛି । ଏବେ କୃଷକ ନାନୋ ରକ୍ ଫସଫେଟ୍ ଅଧିକ ବ୍ୟବହାର କରୁନାହାନ୍ତି । କାରଣ କୃଷକଙ୍କ ମନ ମଧ୍ୟରେ ରହଇଛି କି ୟୁରିଆ ଓ ଡିଏପି ଦ୍ୱାରା ଫସଲ ଭଲ ହୋଇଥାଏ । ଯେତେବେଳେ କି ନାଇଟ୍ରୋଜେନ୍‌, ଫସଫରସ୍ ଓ ପୋଟାସିୟମ ଜମି ଲାଗି ବହୁତ ଜରୁରୀ ।

ନାନୋ ଜିଙ୍କ ଅକ୍ସାଇଡ୍‌ର ପ୍ରୟୋଗ ଫଳକୁ ସୁସ୍ଥ ରଖିବା ଲାଗି କରାଯାଇଥାଏ । ଉଦାହରଣ ସ୍ୱରୂପ ଆମ୍ବ ଛୋଟ ଅବସ୍ଥାରୁ ଗଛରୁ ଖସିପଡିବା । ଏହା ଜିଙ୍କ ଅଭାବରୁ ହୋଇଥାଏ । ନାନୋ ଜିଙ୍କ ଅକ୍ସାଇଡ୍‌ର ପ୍ରୟୋଗ ଆରମ୍ଭ ହେବା ପରେ ଆମ୍ବ, ପିଜୁଳି, ହଳଦୀ, ମାଟି ତଳେ ହେଉଥିବା ପନିପରିବା ଏବେ ଠିକ୍ ଭାବରେ ବଢିବ । ଏହାଦ୍ୱାରା କୃଷକଙ୍କୁ ବହୁ ଲାଭ ମିଳିବ ।

Get real time updates directly on you device, subscribe now.