ନୂଆଦିଲ୍ଲୀ: ଅଭେଦ୍ୟ, ଅର୍ଥାତ୍ ଯାହାକୁ ଭେଦ କରିହୁଏ ନାହିଁ । ଏଭଳି ଏକ ଶକ୍ତି ପାଇବାକୁ ଯାଉଛି ଭାରତୀୟ ସେନା । ଭାରତରେ ଅତ୍ୟଧିକ ଜ୍ଞାନକୌଶଳରେ ସ୍ୱଦେଶୀ ବୁଲେଟପ୍ରୁଫ୍ ଜ୍ୟାକେଟ ‘ABHED’ (Advanced Ballistics for High Energy Defeat) ଭାରତୀୟ ସେନାଙ୍କ ପାଇଁ ପ୍ରସ୍ତୁତ ହୋଇଛି । ଏହି ଜ୍ୟାକେଟକୁ ଭେଦ କରି ସେନାଙ୍କୁ ଛୁଇଁ ପାରିବ ନାହିଁ ଶତ୍ରୁର ଗୁଳି । ଭାରତୀୟ ସେନାଙ୍କ ସମସ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । DRDO ଏବଂ IIT ଦିଲ୍ଲୀ ଉଭୟଙ୍କ ମିଳିତ ପ୍ରଚେଷ୍ଟାରେ ଭାରତୀୟ ସେନା ପାଇଁ ଏଭଳି ଏକ ଶକ୍ତିଶାଳୀ ବୁଲେଟପ୍ରୁଫ୍ ଜ୍ୟାକେଟ ପ୍ରସ୍ତୁତ ହୋଇପାରିଛି । ଏହା ଖୁବ ହାଲକା ଏବଂ ଏହାକୁ ଖୁବ ସହଜରେ ବ୍ୟବହାର କରିପାରିବେ ସେନାବାହିନୀ ।
ଆତଙ୍କବାଦୀ ବିରୋଧରେ କିମ୍ବା ଅନ୍ୟ କୌଣସି ଅପରେସନ ସମୟରେ ସେନା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ଏହି ବୁଲେଟପ୍ରୁଫ୍ ଜ୍ୟାକେଟ । କିନ୍ତୁ ଏହା ଖୁବ ହାଲକା ହୋଇଥିବାରୁ ସେନା ଏହାକୁ ବ୍ୟବହାର କରିବାକୁ ଇଚ୍ଛା କରିପାରେ । ବିଭିନ୍ନ ବାଲାଷ୍ଟିକ ପାଇଁ ଅଲଗା ଜ୍ୟାକେଟ ରହିଛି । କିନ୍ତୁ ଏହି ଜ୍ୟାକେଟରେ ଷ୍ଟିଲ ବୁଲେଟ ମଧ୍ୟ ରୋକା ଯାଇପାରେ । ଏହା ହେଉଛି ଏକ ମଡ୍ୟୁଲର-ଡିଜାଇନ୍ ଜ୍ୟାକେଟ ଏବଂ ଏହାର ଓଜନ ପ୍ରାୟ ୮.୨-୯.୫ କିଲୋ ହୋଇପାରେ । ଏହା ଜଣେ ସେନାକୁ ୩୬୦ ଡିଗ୍ରୀ(ଚାରି ପାଖରୁ) ସୁରକ୍ଷା ଦେଇପାରିବ । ଏହି ବୁଲେଟପ୍ରୁଫ୍ ଜ୍ୟାକେଟ ପଲିମର ଏବଂ ସ୍ୱଦେଶୀ ବୋରନ୍ କାର୍ବାଇଡ ସିରେମିକ ସାମଗ୍ରୀରୁ ପ୍ରସ୍ତୁତ କରାଯାଇଛି । ଆର୍ମର ପ୍ଲେଟ ପ୍ରୋଟୋକଲ ଅନୁସାରେ, ସମସ୍ତ ଜରୁରୀ ପରୀକ୍ଷଣ ପରେ ଭାରତୀୟ ସେନା ଏହାକୁ ଚୟନ କରିଛି ।
ଅଧିକାଂଶ ସମୟରେ ଶତ୍ରୁ ଦେଶ ତଥା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥାନ୍ତି ଭାରତୀୟ ସେନା। ଏପରି ସମୟରେ ବୁଲେଟପ୍ରୁଫ୍ ଜ୍ୟାକେଟର ଆବଶ୍ୟକତା ରହିଛି । ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରାୟତଃ କ୍ଲୋଜ କ୍ୱାର୍ଟର ଫାୟାରିଙ୍ଗ ସମୟରେ ଆବଶ୍ୟକ ହୋଇଥାଏ । ଏହି ଜ୍ୟାକେଟ୍ ଜାମ୍ମୁ କାଶ୍ମୀର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଆତଙ୍କବାଦୀ, ପାଟ୍ରୋଲିଂ ଏବଂ ସେନା କ୍ୟାଣ୍ଟନମେଣ୍ଟରେ ମୁହାଁମୁହିଁ ହୋଇଥିବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ରକ୍ଷକ ଭାବରେ କାର୍ୟ୍ୟ କରିଥାଏ ।
ବର୍ତ୍ତମାନ ପର୍ୟ୍ୟନ୍ତ ସେନା ଦ୍ୱାରା ବ୍ୟବହୃତ ବୁଲେଟପ୍ରୁଫ୍ ଜ୍ୟାକେଟର ଓଜନ ଖୁବ ଅଧିକ ରହୁଥିଲା । ଏଥିରେ କେବଳ ଛାତି ଏବଂ ପିଠିରେ ଏକ ଭାରୀ ଧାତୁ ପ୍ଲେଟ୍ ରହିଥାଏ, ତେଣୁ ବାମ-ଡାହାଣ ପାଖରେ କୌଣସି ସୁରକ୍ଷା ମିଳି ନଥାଏ । କିନ୍ତୁ ଏହି ଜ୍ୟାକେଟରେ ଚତୁପାଶ୍ୱର୍ରୁ ସୁରକ୍ଷା ପାଇପାରିବେ ସେନା କର୍ମଚାରୀ । ଏହାବ୍ୟତୀତ ବେକ ପାଖରେ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା କବଚ ପ୍ରସ୍ତୁତ କରିଛି ଏହି ଜ୍ୟାକେଟ । ବର୍ତ୍ତମାନର ଜ୍ୟାକେଟ୍ ଫିଟ୍ ହେଉ ନଥିବାରୁ, ଚଳପ୍ରଚଳ ଏବଂ ଅପରେସନ୍ ସମୟରେ ଅସୁବିଧା ହୁଏ । ଏହି ସମସ୍ତ ସମସ୍ୟାର ସମାଧାନ ସହ ଭାରତୀୟ ସେନାକୁ ସୁରକ୍ଷା ପ୍ରଦାନ କରିବ ‘ଅଭେଦ୍ୟ’ ।