ସବୁ ରେକର୍ଡ ଭାଙ୍ଗିବ ମହାକୁମ୍ଭ ମେଳା, AI ଲେନ୍ସ କ୍ୟାମେରାର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଗଙ୍ଗାନଦୀ କୂଳରେ ହେଉଥିବା ମହାକୁମ୍ଭ ମେଳାରେ କୋଟି କୋଟି ଲୋକଙ୍କ ସମାଗମ ହୋଇଥାଏ । ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିତ ଉଦ୍ୟମରେ କାର୍ଯ୍ୟ ମଧ୍ୟ ହୋଇଥାଏ । ଆସନ୍ତା ବର୍ଷ ହେବାକୁ ଥିବା କୁମ୍ଭ ମେଳା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ମେଳାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଠିକ୍ ଗଣତି ଏଆଇ ଲେନ୍ସ କ୍ୟାମେରା ଦ୍ୱାରା କରାଯିବ । ପ୍ରତି ୬ ବର୍ଷରେ କିମ୍ବା ପ୍ରତି ୧୨ବର୍ଷରେ ହେଉଥିବା କୁମ୍ଭମେଳାକୁ ଆସୁଥିବା ଭକ୍ତମାନଙ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଗଣତି ହୋଇ ନାହିଁ । ସେଥିପାଇଁ ଭକ୍ତଙ୍କ ସଂଖ୍ୟାର ତଥ୍ୟକୁ ଅଧିକ ସ୍ପଷ୍ଟ କରିବା ଉଦ୍ଦେଶ୍ୟ ରଖି ସରକାରଙ୍କ ପକ୍ଷରୁ ଉନ୍ନତମାନର କ୍ୟାମେରା ବ୍ୟବସ୍ଥା କରାଯାଇଛି ।

ଏହା ଜରିଆରେ ଶ୍ରଦ୍ଧାଳୁମାନଙ୍କୁ ଟ୍ରାକ୍ କରାଯିବ । ଅଧିକାରୀଙ୍କ ସୂଚନା ଅନୁସାରେ ଚଳିତ ମହାକୁମ୍ଭ ମେଳାରେ ୪୦ କୋଟିରୁ ଅଧିକ ଲୋକ ସାମିଲ ହେବେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ରେକର୍ଡ ହେବାକୁ ଯାଉଛି । ମେଳାର ୨୦୦ ଜାଗାରେ ପାଖାପାଖି ୭୪୪ କ୍ୟାମେରା ଲଗାଯିବ । ଅସ୍ଥାୟୀ ସିସିଟିଭି କ୍ୟାମେରା ଲଗାସରିଛି । ସେହିପରି ପ୍ରୟାଗରାଜ ଭିତରେ ୨୬୮ ସହରରେ ୧୧୦୭ ସିସିଟିଭି କ୍ୟାମେରା ଲଗାସରିଛି । ପୂର୍ବଥର ଅପେକ୍ଷା ଚଳିତଥର ୧୦୦ଟି ଅଧିକ ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଇଛି । ତେବେ ଭକ୍ତଙ୍କ ଗଣତି ଲାଗି ଲଗାଯିବାକୁ ଥିବା ଏଆଇ ଲେନ୍ସ କ୍ୟାମେରା ସକାଳ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆକ୍ଟିଭ୍ ରହିବ । ଏହି ଡିଭାଇସ୍ ଗଣାନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କୁହାଯାଉଛି ।