fbpx

ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କର ଅଭାବ , ଛାଡପତ୍ରର କାରଣ ହୋଇପାରେ : ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଯଦି ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନଥାଏ, ତେବେ ଏହା ମାନସିକ ନିର୍ଯ୍ୟାତନା ଏବଂ କ୍ରୁରତା ବା ନିଷ୍ଠୁରତା ହୋଇପାରେ ଏବଂ ସେହି ଆଧାରରେ ଛାଡପତ୍ର ମଧ୍ୟ ନିଆଯାଇପାରେ ବୋଲି ଆହ୍ଲାବାଦ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଗତ ସପ୍ତାହରେ ଆହ୍ଲାବାଦ ହାଇକୋର୍ଟ ଏହି କାରଣ ଯୋଗୁଁ ଏକ ଦମ୍ପତିଙ୍କ ବୈବାହିକ ଜୀବନକୁ ରଦ୍ଦ କରିଦେଇଥିଲେ। ଅଦାଲତ ତାଙ୍କ ରାୟରେ କହିଥିଲେ ଯେ, ସ୍ୱାମୀ କିମ୍ବା ସ୍ତ୍ରୀ ଯଦି ନିଜ ସାଥୀ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରିକ ସମ୍ପର୍କ ରଖିବାକୁ ଅନୁମତି ନ ଦେବା କେବଳ ମାନସିକ ନିର୍ଯ୍ୟାତନା ନୁହେଁ, ଏହା ନଷ୍ଠୁରତା ସହ ସମାନ । ଏହି କାରଣ ଯୋଗୁଁ କେହି ବି ନିଜ ବୈବାହିକ ଜୀବନରୁ ମୁକ୍ତ ହୋଇପାରେ ।

ଜଷ୍ଟିସ ସୁନୀତ କୁମାର ଏବଂ ଜଷ୍ଟିସ ରାଜେନ୍ଦ୍ର କୁମାରଙ୍କ ଚାରି ଜଣିଆ ଖଣ୍ଡପୀଠ ହିନ୍ଦୁ ବିବାହ ଅଧିନିୟମ ୧୯୫୫ ର ଧାରା ୧୩ ଅନୁଯାୟୀ ଛାଡପତ୍ର ପାଇଁ ଏକ ଆବେଦନକୁ ଖାରଜ କରିବାକୁ କରାଯାଇଥିବା ଆବେଦନ ଉପରେ ଏହି ରାୟ ଶୁଣାଇଛନ୍ତି । ଯାହା ଏକ ସ୍ୱାମୀଙ୍କ ସାପକ୍ଷରେ ଥିଲା । ହାଇକୋର୍ଟ କହିଛନ୍ତି ଯେ, ଜୀବନସାରା ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ରହିବାକୁ ବାଧ୍ୟ କରାଯାଇପାରିନାହିଁ । ଉଭୟଙ୍କୁ ବାଧ୍ୟତାମୂଳକ ଏକ ବନ୍ଧନରେ ବାନ୍ଧି ରଖିଲେ ବିଶେଷ କିଛି ଲାଭ ହେବ ନାହିଁ । ବାସ୍ତବରେ ଏହି ବନ୍ଧନଚ ଶେଷ ହୋଇ ସାରିଥାଏ ।

ଲାଇଭ ଲ ରିପୋର୍ଟ ଅନୁଯାୟୀ, ବାରାଣାସୀରେ ଫ୍ୟାମିଲି କୋର୍ଟ ଆଦେଶ ବିରୋଧରେ ପୀଡ଼ିତାଙ୍କ ସ୍ୱାମୀ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନରେ ଦର୍ଶାଯାଇଛି ଯେ ଏହି ଦମ୍ପତି (ଅଭିଯୋଗକାରୀ-ଆବେଦନକାରୀ / ସ୍ୱାମୀ ଏବଂ ଉତ୍ତରଦାତା-ପତ୍ନୀ) ମେ ୧୯୭୯ ରେ ବିବାହ କରିଥିଲେ। କିଛି ସମୟ ପରେ ପତ୍ନୀଙ୍କ ଆଚରଣ ବଦଳିଗଲା ଏବଂ ସେ ତାଙ୍କ ସ୍ତ୍ରୀ ଭାବରେ ତାଙ୍କ ସହିତ ରହିବାକୁ ମନା କଲେ । ବହୁ ବୁଝାଇବା ସତ୍ତ୍ୱେ ସ୍ତ୍ରୀ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ। କିଛି ଦିନ ଗୋଟିଏ ଛାତ ତଳେ ରହିବା ପରେ ସ୍ତ୍ରୀ ଯାଇ ବାପ ଘରେ ରହିଥିଲେ । ଯେତେବେଳେ ତାଙ୍କ ଶାଶୁ ଘରକୁ ଫେରିବାକୁ କୁହାଗଲା, ସେ ଫେରି ଆସିବାକୁ ମନା କରିଦେଲେ। କିନ୍ତୁ ପରେ ଶୁଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ଅନ୍ୟତ୍ର ବିବାହ କରିଛନ୍ତି । କିନ୍ତୁ ଏହାକୁ ସେ ପ୍ରମାଣ କରିପାରିନଥିଲେ । ତେଣୁ ଫ୍ୟାମିଲ କୋର୍ଟର ନିଷ୍ପତ୍ତି ସ୍ୱାମୀ ସାପକ୍ଷରେ ନଥିଲା । ପରେ ସେ ହାଇକୋର୍ଟରେ ଆବେଦନ କରିଥିଲେ । ଯଦିଓ ସ୍ତ୍ରୀର ଦ୍ୱିତୀୟ ବିବାହକୁ ସେ ସେଠି ମଧ୍ୟ ପ୍ରମାଣ କରିନଥିଲେ କିନ୍ତୁ ଦୀର୍ଘ ଦିନ ଅଲଗା ରହୁଥିବା କଥାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ନିଷ୍ପତ୍ତି ଶୁଣାଇଥିଲେ ।

ତେବେ ହାଇକୋର୍ଟ ଜାଣିବାକୁ ପାଇଥିଲେ ଯେ ଉଭୟ ସ୍ୱାମୀ-ସ୍ତ୍ରୀ ଦୀର୍ଘ ଦିନ ଧରି ଅଲଗା ରହୁଛନ୍ତି ଏବଂ ସ୍ୱାମୀଙ୍କ ଅନୁଯାୟୀ ସ୍ତ୍ରୀ ବିବାହ ବନ୍ଧନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେ ପରିବାର ଏବଂ ସମନ୍ୱୟ ଦାୟିତ୍ୱ ପୂରଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ଆଧାରରେ ହାଇକୋର୍ଟ ସେମାନଙ୍କ ବିବାହକୁ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ।

Get real time updates directly on you device, subscribe now.