ସେୟାର ବଜାର ଉତ୍ସାହରେ ବଢିଲା ଦୁନିଆର ୫୦୦ କୋଟିପତିଙ୍କ ସମ୍ପତ୍ତି; ଆଦାନୀ ସହିଲେ ବଡ଼ କ୍ଷତି

ନୂଆଦିଲ୍ଲୀ: ସେୟାର ବଜାରରେ ଲାଗିରହିଥିବା ଉତ୍ସାହ ଫଳରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଦୁନିଆର ୫୦୦ କୋଟିପତିଙ୍କ ସମ୍ପତ୍ତି ବଢିବାରେ ଲାଗିଛି। ଏହି ସମୟରେ ଏହି କୋଟିପତିମାନଙ୍କ ସମ୍ପତ୍ତି ପ୍ରାୟ ୮୫୨ ମିଲିୟନ ଡଲାର ବୃଦ୍ଧି ପାଇଥିଲା। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁସାରେ ଏହି କୋଟିପତିମାନଙ୍କର ପ୍ରତ୍ୟକ ଦିନ ୧.୪ କୋଟି ଡଲାର ଇମ୍ପତ୍ତି ବୃଦ୍ଧି ପାଇଛି।

ଟେସଲା ମାଲିକ ଏଲନ୍ ମସ୍କ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ସର୍ବାଧିକ ବୃଦ୍ଧି ପାଇଛି। ମସ୍କଙ୍କର ସମ୍ପତ୍ତି ୯୬.୬ ବିଲିୟନ ଡ଼ଲାର ଏବଂ ଜୁକରବର୍ଗଙ୍କ ୫୮.୯ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ପ୍ରଥମାର୍ଦ୍ଧରେ ଆମେରିକାର ଷ୍ଟକ୍ ମାର୍କେଟ ଏସ୍‌ଆଣ୍ଡପି-୫୦୦ ୧୬ ପ୍ରତିଶତ ଲାଭ ରେକର୍ଡ କରିଛି ଏବଂ ନାସଡାକ୍ -୧୦୦ ୩୯ ପ୍ରତିଶତ ଲାଭ ପଞ୍ଜିକରଣ କରିଛି।

ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଭାରତୀୟ ବିଲିୟନେୟାର ଗୌତମ ଆଦାନୀ ଏହି ସମୟ ମଧ୍ୟରେ ୬୦.୨ ବିଲିୟନ ଡଲାର ହରାଇଛନ୍ତି । ଏହା ସହିତ, ଦିନକୁ ୨୦.୮ ବିଲିୟନ ଡ଼ଲାର ସର୍ବାଧିକ କ୍ଷତି ହେବାର ରେକର୍ଡ ମଧ୍ୟ ଆଦାନୀଙ୍କ ନାମରେ ରହିଛି, ଯାହା ଜାନୁଆରୀ ୨୭ ରେ ହିଣ୍ଡେନବର୍ଗ ରିପୋର୍ଟ ପରେ ଘଟିଥିଲା । ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ବର୍ତ୍ତମାନ ୬୦ ବିଲିୟନ ଡଲାରର ସମ୍ପତ୍ତି ସହିତ ବିଶ୍ୱର ସବୁଠାରୁ ଧନୀ ତାଲିକାରେ ୨୧ ତମ ସ୍ଥାନରେ ଅଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମୁକେଶ ଅମ୍ବାନୀ ୯୨ ବିଲିୟନ ଡ଼ଲାର ସହିତ ୧୩ ତମ ସ୍ଥାନରେ ଅଛନ୍ତି ।