ମୁମ୍ବାଇ : ଏସିଡ୍ ମାଡ କିଛି ନୂଆ ଘଟଣା ନୁହେଁ । ସେ ପୁଣି ମହିଳାଙ୍କ ଉପରକୁ । ପ୍ରତିଦିନ କିଛି ନା କିଛି ଏଭଳି ଘଟଣା ବିଷୟରେ ଶୁଣିବାକୁ ମିଳେ । କେବେ କଲେଜ ଛାତ୍ରୀଙ୍କୁ ତ କେତେବେଳେ ସ୍ତ୍ରୀକୁ ସ୍ୱାମୀ ଏସିଡ୍ମ୍ଭମାଡ କରିଥିବା ଅଭିଯୋଗ ହୁଏ । ଗତ କିଛି ସମୟ ମଧ୍ୟରେ ଦେଶରେ ଏସିଡ୍ ଆକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ସରକାରୀ ରିପୋର୍ଟ ଅନୁଯାୟୀ, ୨୦୧୮ ରୁ ୨୦୨୨ ପର୍ୟ୍ୟନ୍ତ ଦେଶରେ ୩୮୬ ଟି ଏସିଡ୍ ଆକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ଏସବୁ ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଛି, ୬୯ ବର୍ଷିୟ ବ୍ୟକ୍ତି ନିଜର ୫୬ ବର୍ଷିୟା ପତ୍ନୀଙ୍କ ଉପରକୁ ଏସିଡ୍ ମାଡ କରିଛି । ଏହି ଘଟଣାଟି ଘଟିଛି ମୁମ୍ବାଇରେ ।
ସୂଚନା ଦେଇ ମୁମ୍ବାଇର ୱାଡାଲା ଅଞ୍ଚଳର ପୋଲିସ କହିଛି ଯେ ୬୯ ବର୍ଷିୟ ଭେଙ୍କଟେଶ ଟାନେର ତାଙ୍କ ୫୬ ବର୍ଷିୟା ପତ୍ନୀଙ୍କୁ ଅନ୍ୟ ଜଣଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି। ଏହି କାରଣରୁ ସେ ତାଙ୍କ ପତ୍ନୀଙ୍କୁ ମୁହଁକୁ ଏସିଡ୍ ଫିଙ୍ଗିଥିଲା । ଏହି ମାମଲାରେ ୱାଡାଲା ପୋଲିସ ଅଭିଯୁକ୍ତକୁ ଗିରଫ କରି ଆଇପିସିର ଧାରା ୩୨୬ (ବି) ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଏପ୍ରିଲ୍ ୯ ତାରିଖ ରାତିରେ ଭେଙ୍କଟେଶ ତାଙ୍କ ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ବିଳମ୍ବିତ ରାତି ଯାଏଁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏଥିରେ ରାଗିଯାଇ ଭେଙ୍କଟେଶ ଏସିଡ୍ ବୋତଲ ଉଠାଇ ତାଙ୍କ ପତ୍ନୀଙ୍କ ମୁହଁରେ ଏସିଡ୍ ପକାଇଲେ। ପୀଡିତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା।
ସୂଚନା ଦେଇ ପୋଲିସ କହିଛି ଯେ ଏସିଡ୍ ଆକ୍ରମଣରେ ପୀଡିତା ସାମାନ୍ୟ ଆହତ ହୋଇଛନ୍ତି। ପୀଡିତାଙ୍କ ମୁହଁରେ ଏସିଡ୍ ସମ୍ପୂର୍ଣ୍ଣ ପଡି ନଥିଲା, ଯାହାଦ୍ୱାରା ତାଙ୍କ ମୁହଁରେ ବିଶେଷ କିଛି କ୍ଷତି ହୋଇନାହିଁ ।