ଶିକ୍ଷା କ୍ଷେତ୍ରରେ ରାଜ୍ୟର ରାଙ୍କିଂ ସୁଦୃଢ଼ କରିବା ଲାଗି ପଦକ୍ଷେପ ନେବାକୁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗରେ ସ୍ୱତନ୍ତ୍ର ପେନ୍ସନ୍ ସେଲ୍ ଗଠନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗର ଏକ ସ୍ୱତନ୍ତ୍ର ପେନ୍ସନ ସେଲ୍ ଗଠନ କରାଯିବା ସହ ସରକାରଙ୍କ ଫାଇଭ୍-ଟି ବ୍ୟବସ୍ଥା ସହିତ ସ୍ୱଚ୍ଛତା ବଜାୟ ରଖିବା ଆବଶ୍ୟକ ବୋଲି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଗତକାଲି ଲୋକସେବା ଭବନରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସେ ଏହା କହିଥିଲେ । ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ତୁରନ୍ତ ଏକ ସ୍ୱତନ୍ତ୍ର ପେନ୍ସନ୍ ସେଲ୍ ଆରମ୍ଭ କରାଯାଇ ଅବସର ଦିନ ହିଁ କର୍ମଚାରୀମାନେ ସେମାନଙ୍କର ପେନସନ୍ ପାଇବା ଏବଂ ବିଚାରାଧିନ ସମସ୍ତ ପେନସନ ମାମଲା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରାଯିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହିତ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନଙ୍କ ଖାଲି ପଡିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରାଯିବା ଦିଗରେ ପଦକ୍ଷେପ ନେବା ଲାଗି ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ନାକ୍ ତଥା ଏନ୍ଆଇଆର୍ଏଫ୍ ରାଙ୍କିଂରେ ସ୍ଥିତି ସୁଦୃଢ଼ କରିବା ଦିଗରେ ସେ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ ।
ତେବେ ପିଜିଆଇ ତାଲିକାରେ ଗତ ଶିକ୍ଷା ବର୍ଷରେ ରାଜ୍ୟ ଦଶମ ସ୍ଥାନରୁ ଖସି ୨୪ସ୍ଥାନରେ ପହଞ୍ଚିଛି। ଏଥିରେ ଜଗତସିଂହପୁର, କଟକ, ଭଦ୍ରକ, ଗଂଜାମ, ପୁରୀ ଓ ଖୋର୍ଦ୍ଧାର ପ୍ରଦର୍ଶନ ସନ୍ତୋଷଜନକ ଥିବା ବେଳେ ୨୨ଟି ଜିଲ୍ଲାର ଗ୍ରେଡ୍ ଉତ୍ତମ ରହିଛି। ଏହି ତାଲିକାର ରାଜ୍ୟର ରାୟଗଡ଼ା ଓ କୋରାପୁଟର ଜିଲ୍ଳାର ଗ୍ରେଡ୍ ସବୁଠାରୁ ଖରାପ ରହିଛି। ରାଜ୍ୟ ସରକାର ୫ଟି ଅନ୍ତର୍ଗତ ରାଜ୍ୟର ସ୍କୁଲ ଗୁଡିକୁ ବିକଶିତ କରିଥିବା ଓ ସ୍କୁଲ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ରିପୋର୍ଟ ସରକାର ପାଇଁ ଅଡୁଆ ହୋଇଛି।