fbpx
BJD SKY
BJD SKY

ତାଲିବାନ ଆତଙ୍କ: ଭାରତରେ ପଢୁଥିବା ଆଫଗାନ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଲା

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ତାଲିବାନ ନିଜ ରୁଲ୍ ଆରମ୍ଭ କରିଦେଇଛି । ମୌଳବାଦୀ ଚିନ୍ତାଧାରାର ସମସ୍ତ ନିୟମ ଲଦିଦେବା ଆରମ୍ଭ କରିଛି ତାଲିବାନ । ଫଳରେ ଆଫଗାନରୁ ଅନେକ ଦେଶ ଛାଡ଼ିବାକୁ ଡହଳବିକଳ ହେଉଛନ୍ତି । ଏଭଳି ସ୍ଥିତିରେ ଭାରତରେ ରହି ପଢୁଥିବା ତାଲିବାନୀ ଛାତ୍ରଛାତ୍ରୀଙ୍କ ଚିନ୍ତା ମଧ୍ୟ ବଢ଼ି ଯାଇଛି । ବିଶେଷକରି ଛାତ୍ରୀମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ନିଜ ଦେଶକୁ କେମିତି ଯିବେ ଆଉ କଣ କରିବେ- ଏଭଳି ଚିନ୍ତା ଘାରିଛି ସେମାନଙ୍କୁ ।

ପୁନେରେ ରହି ପଢୁଥିବା ଆଫଗାନିସ୍ତାନ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇପାରୁନଥିବା ଦୁଃଖ ବଖାଣିଛନ୍ତି । ସେହିପରି ଭାରତରେ ଦୀର୍ଘକାଳୀନ ରହଣି ପାଇଁ ଅନେକ ଛାତ୍ରଛାତ୍ରୀ ନିଜ ଭିସା ଅବଧି ବୃଦ୍ଧି ପାଇଁ ଆବେଦନ କରିସାରିଛନ୍ତି । ଆଫଗାନ ଛାତ୍ର ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ପଢୁଛନ୍ତି । ତେବେ ଆଫଗାନ ଛାତ୍ରଛାତ୍ରୀ ଅଧିକ ସମୟ ଭାରତରେ ରହିବାକୁ ପସନ୍ଦ କରୁଛନ୍ତି । ସେମାନଙ୍କ ଦେଶରେ ସ୍ଥିତି ସ୍ଥିର ହେବା ପର୍ଯ୍ୟନ୍ତ ସେଠାକୁ ଯିବାକୁ ଅନାଗ୍ରହୀ ରହିଛନ୍ତି ଛାତ୍ରଛାତ୍ରୀ । ତେବେ ସଂଘ ସମସ୍ୟାରେ ପଡ଼ିଥିବା ଛାତ୍ରଛାତ୍ରୀଙ୍କ ସହଯୋଗ କରିବା ପାଇଁ ଉଦ୍ୟମ ଚଳାଇଛି । ଆଫଗାନର ଏମବିଏ ଛାତ୍ର ଶୁକରୁଲ୍ଲା ଅହମଦୀ (୨୫) କହିଛନ୍ତି ଯେ ଆଫଗାନିସ୍ତାନରେ ସ୍ଥିତି ଭୟାନକ ରହିଛି । ଏଭଳି ସ୍ଥିତି କଳ୍ପନା ବାହାରେ, ଆମେ କେବେ ବି ଏମିତି ଆଶା କରିନଥିଲୁ । ସେହିପରି କାବୁଲରୁ ବମୁଶ୍କିଲ୍ ୫୦ କିଲୋମିଟର ଦୂର ଲୋଗାର୍ ସୀମାରେ ଇଣ୍ଟରନେଟ୍ ଓ ଟେଲିଫୋନ୍ ସେବା ପୂରା ବନ୍ଦ ରହିଛି । ତେଣୁ ନିଜ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇପାରୁନଥିବାର ଦୁଃଖ ପ୍ରକାଶ ସେ କରିଛନ୍ତି ।
ଅନ୍ୟପକ୍ଷରେ ବେଙ୍ଗାଲୁରୁ ଭଳି ଭାରତର ଅନ୍ୟ କେତେକ ପ୍ରମୁଖ ସହରରେ ପଢୁଥିବା ଆଫଗାନ ଛାତ୍ରଛାତ୍ରୀ ମଧ୍ୟ ନିଜ ଦେଶର ସ୍ଥିତିକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି । ସମସ୍ତେ ନିଜ ଦେଶ ସମତେ ନିଜ ପରିବାରବର୍ଗଙ୍କ ଲାଗି ଚିନ୍ତିତ ରହିଛନ୍ତି । ଆଉ କେତେକ ଛାତ୍ରଛାତ୍ରୀ କହିଛନ୍ତି ଯେ ଆମେରିକାର ପଦକ୍ଷେପ ଯୋଗୁଁ କିଛିଦିନ ପରିସ୍ଥିତି ଭଲ ରହିଥିଲା । କିନ୍ତୁ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଖରାପ । ତାଲିବାନୀମାନେ ମହିଳାଙ୍କ ପାଇଁ କଣ ସବୁ ନିୟମ ଲଗାଇବେ ତାହା କଳ୍ପନା ବାହାରେ । ତେଣୁ ଚିନ୍ତା ବଢ଼ି ଯାଇଛି ବୋଲି ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି ।

Afghanistan students
(File Image)

Get real time updates directly on you device, subscribe now.