fbpx
BSKY
BJD MC SKY
BJD YOUTH SKY

ଦୀର୍ଘ ୧୧୫ ଦିନ ପରେ ଆପ୍ ସାଂସଦ ରାଘବ ଚଢାଙ୍କୁ ମିଳିଲା ଆଶ୍ଵସ୍ତି

ନୂଆଦିଲ୍ଲୀ: ଦୀର୍ଘ ୧୧୫ ଦିନ ପରେ ଆପ୍ ସାଂସଦ ରାଘବ ଚଢାଙ୍କୁ ଆଶ୍ଵସ୍ତି ମିଳିଛି। ପଞ୍ଜାବର ବହୁ ଜଣାଶୁଣା ରାଜ୍ୟସଭା ସାଂସଦ ରାଘବଙ୍କୁ ଗତ ଅଗଷ୍ଟ ୧୧ ତାରିଖ ଦିନ ସଂସଦରୁ ନିଲମ୍ବନ କରାଯାଇଥିବା ବେଳେ ଆଜି ତାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରାଯାଇଛି। ଏନେଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ସୂଚନା ଦେଇ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି।

ସୂଚନା ଥାଉକି, ଗତ ଅଗଷ୍ଟ ମାସରେ ଦିଲ୍ଲୀ ସେବା ବିଧେୟକ ସମ୍ବନ୍ଧୀୟ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା। ଏହି ସମୟରେ ୫ଜଣ ସାଂସଦଙ୍କ ନକଲି ହସ୍ତାକ୍ଷର କରିଥିବା ନେଇ ଚଢାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସାଂସଦଙ୍କ ବିନା ସହମତିରେ ପ୍ରସ୍ତାବରେ ନାଁ ନେବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ହେଲେ ଆଜି ରାଜ୍ୟସଭାରେ ବିଜେପି ସାଂସଦ ନରସିଂହ ରାଓ ରାଘବଙ୍କୁ ମିଳିଥିବା ଦଣ୍ଡ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଥିଲେ। ରାଘବ କରିଥିବା ଭୁଲ ପାଇଁ ତାଙ୍କୁ ଯଥେଷ୍ଟ ଦଣ୍ଡ ମିଳିସାରିଛି। ଏବେ ତାଙ୍କର ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ବିଜେପି ସାଂସଦ ପ୍ରସ୍ତାବ ଦେବା ପରେ ଏହାକୁ ଗ୍ରହଣ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର।

ସେପଟେ ନିଲମ୍ବନ ହଟିବା ପରେ ରାଘବ କହିଛନ୍ତି, ‘୧୧ ଅଗଷ୍ଟରେ ରାଜ୍ୟସଭାରୁ ମୋତେ ନିଲମ୍ବିତ କରି ଦିଆଯାଇଥିଲା। ନିଲମ୍ବନ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିଲି। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କଲେ ଓ ୧୧୫ ଦିନ ପରେ ମୋର ନିଲମ୍ବନ ହଟିଲା ବୋଲି ରାଘବ କହିଛନ୍ତି।’ “ଏହି ୧୧୫ଦିନର ନିଲମ୍ବନ ସମୟରେ, ମୁଁ ଆପଣଙ୍କଠାରୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ପାଇଛି। ଆପଣ ସମସ୍ତେ ମୋତେ ଲଢ଼ିବାକୁ ସାହସ ଦେଇଛନ୍ତି। ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ମୁଁ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଧନ୍ୟବାଦ ଜଣାଉଛି।”​

Get real time updates directly on you device, subscribe now.