fbpx

Air India ପରେ ଏବେ ବିକ୍ରି ହୋଇଯିବ CEL: ଟ୍ରାନ୍ସଫର ହେବ ଶତ ପ୍ରତିଶତ ଅଂଶଧନ ଓ ପରିଚାଳନା ନିୟନ୍ତ୍ରଣ କ୍ଷମତା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଘରୋଇକରଣ ପରେ ଏବେ ସରକାରୀ କମ୍ପାନୀ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ସେଲ)ର ବିକ୍ରି ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି । ଏହି କମ୍ପାନୀର ବିକ୍ରି ପାଇଁ ସରକାର ଫାଇନାନ୍ସିଆଲ ବିଡ୍ ଗ୍ରହଣ କରିଥିବା ଜଣାପଡ଼ିଛି । ସେଲର ୧୦୦ ପ୍ରତିଶତ ଅଂଶଧନ ଓ ମ୍ୟାନେଜମେଣ୍ଟ କ୍ଷମତା ଟ୍ରାନ୍ସଫର ପାଇଁ ସରକାର ଫାଇନାନ୍ସିଆଲ ବିଡ୍ ହାସଲ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସେଲର ବିନିବେଶ ପାଇଁ ଫାଇନାନ୍ସିଆଲ ବିଡ୍ ଗ୍ରହଣ କରାଯିବା ସହ ଏହି ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ବିନିଯୋଗ ଓ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ (ଡିପମ) ସଚିବ ତୁହିନ କାନ୍ତ ପାଣ୍ଡେ ଟ୍ୱିଟ କରି କହିଛନ୍ତି । ଏହି କମ୍ପାନୀକୁ କିଣିବା ପାଇଁ ଇଚ୍ଛୁକ ଥିବା କମ୍ପାନୀ ପାଖରେ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ସର୍ବନିମ୍ନ ୫୦ କୋଟିର ନେଟୱର୍ଥ ରହିଥିବା ଦରକାର । ଏହାସହ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ସେଲର ଅଂଶଧକୁ ଆଉ କାହାକି ବିକ୍ରି କରାଯାଇପାରିବ ନାହିଁ ବୋଲି ସର୍ତ୍ତ ରହିଛି । ସେଲ ଏକ ଇଞ୍ଜିନିୟରିଂ କମ୍ପାନୀ ହୋଇଥିବା ବେଳେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ସାହିବାବାଦରେ ଏହାର କାରଖାନା ରହିଛି । ଦେଶରେ ପ୍ରଥମ ଥର ପାଇଁ ଏହି କମ୍ପାନୀ ୧୯୭୭ରେ ସୋଲାର ସେଲ, ୧୯୭୮ରେ ସୋଲାର ପ୍ୟାନେଲ ଓ ୧୯୯୨ରେ ସୋଲାର ପ୍ଲାଣ୍ଟ ନିର୍ମାଣ କରିବା ସହ ଓ ୨୦୧୫ରେ କ୍ରିଷ୍ଟାଲାଇନ ଫ୍ଲେକ୍ସିବଲ ସୋଲାର ପ୍ୟାନେଲର ଉତ୍ପାଦନ ନିର୍ମାଣ କରିଥିଲା ।

Get real time updates directly on you device, subscribe now.