ବେଙ୍ଗାଲୁରୁରେ ପୁଣି ଚାଞ୍ଚଲ୍ୟ: ଅତୁଲ ସୁଭାଷଙ୍କ ପରେ ଜଣେ ହେଡ୍ କନଷ୍ଟେବଳ ଜୀବନ ହାରିଲେ, ପତ୍ନୀ ଓ ଶ୍ୱଶୁରଙ୍କ ବିରୋଧରେ ଆଣିଲେ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ ପତ୍ନୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ସହ୍ୟ କରିନପାରି ଆତ୍ମହତ୍ୟା କରିଥିଲେ । ସେହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଅତୁଲଙ୍କ ମୃତ୍ୟୁ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ତେବେ ଏହା ମଧ୍ୟରେ ବେଙ୍ଗାଲୁରୁରେ ପୁଣି ଥରେ ହଲଚଲ୍ ଦେଖିବାକୁ ମିଳିଛି । ଜଣେ ହେଡ୍ କନଷ୍ଟେବଳ ଆତ୍ମହତ୍ୟା କରିଥିବା ବେଳେ ସେ ପତ୍ନୀ ଓ ଶ୍ୱଶୂରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ, ହଲିମାବୁ ପୋଲିସ ଷ୍ଟେସନ (ଆଇନ ଓ ବ୍ୟବସ୍ଥା)ର ୩୩ ବର୍ଷୀୟ ପୋଲିସ ହେଡ୍ କନଷ୍ଟେବଳ ଡିସେମ୍ବର ୧୩ ତାରିଖ ବିଳମ୍ବିତ ରାତିରେ ବାୟପ୍ପନହଲ୍ଲୀରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ଥିପ୍ପନ୍ନା ଅଲୁଗୁର ହୋଇଥିବା ବେଳେ ସେ କନ୍ନଡ଼ ଭାଷାରେ ଲେଖାଯାଇଥିବା ଏକ ସୁଇସାଇଟ୍ ନୋଟରେ ନିଜ ପତ୍ନୀ ଓ ଶ୍ୱଶୂରଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ବିଷୟରେ ଉଲ୍ଲେଖ କରିଛନ୍ତି । ତାଙ୍କର ଆତ୍ମହତ୍ୟା ପାଇଁ ପତ୍ନୀ ଓ ଶ୍ୱଶୂର ଦାୟୀ ବୋଲି ସେ ସୁଇସାଇଟ୍ ନୋଟରେ ଉଲ୍ଲେଖ କରିଛନ୍ତି । ଥିପ୍ପନ୍ନା ଉତ୍ତର କର୍ଣ୍ଣାଟକର ବିଜୟପୁରା ଜିଲ୍ଲାର ସଂଧଗୀ ସହର ନିକଟ ହଣ୍ଡିଗାନୁରୁ ଗ୍ରାମର ବାସିନ୍ଦା ଅଟନ୍ତି ।

ସୂଚନା ମୁତାବକ, ଥିପ୍ପନ୍ନା ୩ ବର୍ଷ ପୂର୍ବେ ନିଜର ଗୃହନଗରର ପର୍ବତୀଙ୍କୁ ବିବାହ କରିଥିଲେ । ସେ ବେଙ୍ଗାଲୁରୁର ଏକ ଭଡ଼ା ଘରେ ରହୁଥିଲେ । ଦମ୍ପତ୍ତିଙ୍କର କୌଣସି ସନ୍ତାନ ନଥିଲେ । ଥିପ୍ପନ୍ନା ଘରକୁ ଫେରିବା ପୂର୍ବରୁ ଶୁକ୍ରବାର ଦିନ ନିଜର ପ୍ରଥମ ଶିଫ୍ଟ (ସକାଳ ୮ଟାରୁ ଦ୍ୱିପ୍ରହ ୨ଟା ପର୍ଯ୍ୟନ୍ତ) କରିବାକୁ ଯାଇଥିଲେ । କୁହାଯାଉଛି, ସନ୍ଧ୍ୟା ସମୟରେ ପାର୍ବତୀଙ୍କ ସହିତ ଥିପ୍ପନ୍ନାଙ୍କ କଳହ ହୋଇଥିଲା । ଏହାର କିଛି ସମୟରେ ଶ୍ୱଶୂର ଥିପ୍ପନ୍ନାଙ୍କୁ ଫୋନ୍ କରିବା ସହ ଦୁର୍ବବ୍ୟହାର କରିଥିଲେ । ଏକ ଟ୍ରେନ୍ ଆଗକୁ ଡେଇଁ ଥିପ୍ପନ୍ନ ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।