fbpx

ସ୍ଵତନ୍ତ୍ର ପ୍ରୋଟିନଯୁକ୍ତ ଖାଦ୍ୟ ପରେ ଏବେ ମୋତେ ଟିଭି ଦରକାର, ସୁଶୀଲଙ୍କ ଜେଲ୍ କର୍ତ୍ତୃପକ୍ଷଙ୍କଠାରେ ଅଜବ ଦାବି

AAKASH

ନୂଆଦିଲ୍ଲୀ : ଏବେ ମୋତେ ଟିଭି ଦରକାର। ଟିଭି ଲାଗିଲେ ମୁଁ କୁସ୍ତି ସମ୍ବନ୍ଧିତ ଖବର ବିଷୟରେ ଅପଡେଟ୍ ହୋଇ ପାରିବି। ତେଣୁ ମୋ ସେଲରେ ଟିଭି ଲଗାଯାଉ। ଏମିତି ଦାବି କରିଛନ୍ତି ସାଗର ଧନକର ହତ୍ୟା ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର। ପ୍ରଥମେ ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ଦାବି କରିଥିବା ସୁଶୀଲ ଏବେ ତାଙ୍କ ସେଲରେ ଟିଭି ଲଗାଇବାକୁ ଦାବି କରିଛନ୍ତି। ତିହାର ଜେଲର ଜଣେ ଅଧିକାରୀଙ୍କ ଅନୁସାରେ, ସୁଶୀଲ କୁମାର କହିଛନ୍ତି, ଯଦି ଟିଭି ମିଳିବ ତେବେ ତାଙ୍କୁ କୁସ୍ତିର ଅପଡେଟ୍ ଖବର ମିଳି ପାରିବ। ସୁଶୀଲ କୁମାର ଜୁଲାଇ ୯ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ଏହା ପୂର୍ବରୁ ମଣ୍ଡୋଲି ଜେଲରେ ଥିବା ସମୟରେ ସୁଶୀଲ ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ଦାବି କରିଥିଲେ। ଯଦି ତାଙ୍କୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ନମିଳେ ତେବେ ତାଙ୍କ କ୍ୟାରିୟର ଉପରେ କୁପ୍ରଭାବ ପଡିବ। କାରଣ ସ୍ଵତନ୍ତ୍ର ଆହାର ଖାଇଲେ ହିଁ ତାଙ୍କ ଶରୀର ହୃଷ୍ଟପୃଷ୍ଟ ରହି ପାରିବ, ଯାହା ଜଣେ ରେସଲର ପାଇଁ ଅତି ଜରୁରୀ। ଜେଲ୍ କର୍ତ୍ତୃପକ୍ଷ କୋର୍ଟରେ ନିଜର ଜବାବରେ କହିଥିଲେ ଯେ, ସୁଶୀଲ କୁମାରଙ୍କୁ ଡାକ୍ତରଙ୍କ ଅନୁସାରେ ଅତିରିକ୍ତ ଆହାର ଭାବେ ପ୍ରୋଟିନର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ସୁଶୀଲଙ୍କ ବିରୋଧରେ ଅପହରଣ ଓ  ହତ୍ୟା ଅଭିଯୋଗ ଆଧାରରେ ମାମଲା ଚାଲିଛି। ପୋଲିସ ଅନୁଯାୟୀ ସାଗର ହତ୍ୟାକାଣ୍ଡରେ ସୁଶୀଲ ମୁଖ୍ୟ ଅପରାଧି ଓ ମାଷ୍ଟରମାଇଣ୍ଡ। ତାଙ୍କ ପାଖରେ ଇଲେକ୍ଟ୍ରୋନିକ ପ୍ରମାଣ ରହିଛି, ଯେଉଁଥିରେ ସୁଶୀଲ ଓ ତାଙ୍କ ସାଙ୍ଗମାନେ ସାଗରଙ୍କୁ ଲାଠିରେ ନିର୍ମମ ଭାବେ ପିଟୁଥିବା ଦେଖିବାକୁ ମିଳିଛି। ସୁଶୀଲଙ୍କୁ ମେ ୨୩ରେ ଗିରଫ କରାଯାଇଥିଲା। ଜୁନ ୨ରେ ନଅ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଛତ୍ରସାଲ  ଷ୍ଟାଡିୟମରେ ଘଟିଥିବା ବିବାଦ ସମ୍ବନ୍ଧିତ ମାମଲାର ତଦନ୍ତ କରୁଛନ୍ତି।

Get real time updates directly on you device, subscribe now.