fbpx

ଜିତିନଙ୍କ ପରେ ଏବେ କଂଗ୍ରେସରେ ବିଦ୍ରୋହ କରିବେ ପାଇଲଟ୍ ! ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ଘରେ ଚାଲିଛି ବୈଠକ

ଜୟପୁର : କଂଗ୍ରେସର ଯୁବ ବ୍ରିଗେଡ ଧିରେ ଧିରେ ଅଲଗା ହେବାରେ ଲାଗିଛନ୍ତି । ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୁଣି ଜିତିନ ପ୍ରସାଦଙ୍କ ପରେ ଏବେ ସଚିନ ପାଇଲଟ କଂଗ୍ରେସ ଛାଡିବା ନେଇ ଖୁବ୍ ଚର୍ଚ୍ଚା । ଏହା ମଧ୍ୟରେ ଗୁରୁବାର ସଚିନ ପାଇଲଟ ନିଜ ଘରେ ଆଠ ବିଧାୟକଙ୍କ ସହିତ ବୈଠକ ଆରମ୍ଭ କରିଛନ୍ତି । ଏହି ବୈଠକ କଣ ପାଇଁ ଡକାଯାଇଛି ଏହାର କାରଣ ଜଣା ପଡିନାହିଁ । ସେମିତିରେ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଜାରି ତିକ୍ତତା ସମସ୍ତଙ୍କୁ ଜଣା । ଏପରିକି ପାର୍ଟି ହାଇକମାଣ୍ଡଙ୍କ ପ୍ରତି ସଚିନ ଖପ୍ପା । ୧୦ ମାସ ବିତିଯାଇଥିଲେ ମଧ୍ୟ ତାଙ୍କ ଦାବି ଏ ଯାଏଁ ପୂରଣ ହୋଇ ନାହିଁ ।

ରାଜ୍ୟରେ ରାଜନୀତି ସରଗରମ ହେବା ପଛର ମୁଖ୍ୟ କାରଣ ପାଇଲଟଙ୍କ ବୟାନ। ରାଜସ୍ଥାନ ବିଧାନସଭାର ବିରୋଧୀ ଦଳର ଉପ ନେତା ତଥା ବରିଷ୍ଠ ବିଜେପି ନେତା ରାଜେନ୍ଦ୍ର ରାଠୋର କଂଗ୍ରେସରେ ବଢୁଥିବା ଅସନ୍ତୋଷକୁ ନେଇ ଟ୍ୱିଟ୍ କରିଥିଲେ । ଏହାର ଜବାବରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପାଇଲଟ୍ ନିଜ ପାର୍ଟିରେ ଚାଲିଥିବା ଅନ୍ତଃକଳହ ପ୍ରଥମେ ଦେଖିବାକୁ ଉପଦେଶ ଦେଇଥିଲେ । ଏହା ପରେ ରାଠୋର ଟ୍ୱିଟ୍ କରିଥିଲେ ଯେ, ଶେଷରେ ମନର ଯନ୍ତ୍ରଣା ଓଠକୁ ଚାଲି ଆସିଲା । ଜଣା ନାହିଁ ଏହି ଚିଙ୍ଗାରି କେବେ ବାରୁଦ ହୋଇ ଫୁଟିବ ଆଗାମୀ ସମୟ ହିଁ କହିବ । କଂଗ୍ରେସକୁ ରାଜସ୍ଥାନରେ କ୍ଷମତାସୀନ କରାଇବାରେ ତତ୍କାଳୀନ କଂଗ୍ରେସ ରାଜ୍ୟ ସଭାପତି ସଚିନ ପାଇଲଟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ହେଲେ ପାର୍ଟିରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ନିଜେ ଅଭିଯୋଗ କରିଛନ୍ତି ।

ସଚିନ ପାଇଲଟ୍ ୧୦ ମାସ ପୂର୍ବେ ଉଠାଇଥିବା ପ୍ରସଙ୍ଗ ଏ ଯାଏ ସମାଧାନ ହୋଇ ନାହିଁ । ଏ ନେଇ ଗଠିତ କମିଟି ଦ୍ୱାରା ଅଦ୍ୟାବଧି କୌଣସି ବୈଠକ ମଧ୍ୟ ବସି ନାହିଁ । ଏହାକୁ ନେଇ ପାଇଲଟ୍ ଖପ୍ପା । ରାଜ୍ୟ ମନ୍ତ୍ରିମଣ୍ଡଳରେ ହେଉନଥିବା ସଂପ୍ରସାରଣକୁ ନେଇ ସଚିନଙ୍କ ଗୋଷ୍ଠୀ ଖୁବ୍ ଅସନ୍ତୁଷ୍ଟ ଅଛନ୍ତି । କିଛି ଦିନ ପୂର୍ବେ ପାଇଲଟଙ୍କ ସମର୍ଥକ ତଥା ପୂର୍ବତନ ମନ୍ତ୍ରୀ ହେମାରାମ ଚୌଧୁରୀ ସରକାରଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ନିଜର ଇସ୍ତଫା ପତ୍ର ବାଚସ୍ପତି ସିପି ଯୋଶୀଙ୍କ ପାଖକୁ ପଠାଇ ଦେଇଥିଲେ । ଏପରିକି ଗତ ବର୍ଷ ବିଦ୍ରୋହ ସମୟରେ ମନ୍ତ୍ରୀ ପଦରୁ ବରଖାସ୍ତ ହୋଇଥିବା ପାଇଲଟ ଗୋଷ୍ଠୀଙ୍କ ଦୁଇ ବିଧାୟକଙ୍କୁ ଦାବି ଅନୁଯାୟୀ କ୍ୟାବିନେଟରେ ଏ ଯାଏଁ ସାମିଲ କରାଯାଇ ନାହିଁ । ଏସବୁକୁ ନେଇ ସଚିନ ପାଇଲଟ ଗୋଷ୍ଠୀ ପୁଣି ଥରେ ବିଦ୍ରୋହ କରିବାକୁ ସଜବାଜ ହେଲେଣି ।

ଏହାକୁ ଦୃଷ୍ଟିରେ ରଖି ଆଜି ତାଙ୍କ ବାସଭବନରେ ବୈଠକ ଚାଲିଥିବା କୁହାଯାଉଛି। ଏଥିରେ ଅସନ୍ତୁଷ୍ଟ ବିଧାୟକ ସାମିଲ ହୋଇଥିବା ସୂଚନା ମିଳିଛି । କିନ୍ତୁ ଅଚାନକ ଏହି ବୈଠକ କଣ ପାଇଁ ଡକାଯାଇଛି ଏହା ସ୍ପଷ୍ଟ ହୋଇ ପାରି ନାହିଁ । ଗତ ବର୍ଷ ଅଶୋକ ଗେହଲଟ ସରକାରଙ୍କ ବିରୋଧରେ ପାଇଲଟଙ୍କ ଗୋଷ୍ଠୀ ବିଦ୍ରୋହ କରିଥିଲେ । ଗେହଲଟ ଏବଂ ପାଇଲଟ୍ ନିଜ ନିଜ ସମର୍ଥକ ବିଧାୟକଙ୍କୁ ହୋଟେଲରେ ନେଇ ରଖିଥିଲେ । କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଦେଖି ବିରୋଧୀ ବିଜେପି ସକ୍ରିୟ ହୋଇ ଉଠିଥିଲା । ସେହି ସମୟରେ ସଚିନ ପାଇଲଟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ନେଇ ଜାତୀୟ ରାଜନୀତିରେ ଖୁବ୍ ଚର୍ଚ୍ଚା ହୋଇଥିଲା । ତେବେ ପାର୍ଟି ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଏବଂ ପାଇଲଟଙ୍କ ୧୦ ଦାବି ଉପରେ ବିଚାର କରାଯାଇ ପୂରଣ କରାଯିବା ପ୍ରତିଶ୍ରୁତି ପରେ ବିବାଦ ପ୍ରଶମିତ ହୋଇଥିଲା । କିନ୍ତୁ ଏହି ବିବାଦ ପୁଣି ଥରେ ମୁଣ୍ଡ ଟେକିଛି । ସଚିନଙ୍କୁ କଂଗ୍ରେସ କେମିତି ମନାଇ ଦଳରେ ରଖି ପାରୁଛି ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.