fbpx

ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଥିବା ଏମଏସ୍ ଧୋନୀଙ୍କ ଫଟୋ ଏବେ ଭାଇରାଲ, ଜାଣନ୍ତୁ କ’ଣ ପ୍ରକୃତ ଘଟଣା

ରାଞ୍ଚି: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ରେ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଚେନ୍ନାଇ ପ୍ଲେ-ଅଫରୁ ବାଦ୍ ପଡ଼ିବା ପରେ ମହେନ୍ଦ୍ର ସିହଂ ଧୋନୀ ଶିଘ୍ର ଘରକୁ ଫେରି ଆସିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଧୋନୀଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଛନ୍ତି।

ବାସ୍ତବରେ ଝାଡ଼ଖଣ୍ଡରେ ଏବେ ପଞ୍ଚାୟତ ନିର୍ବାଚନ ଚାଲିଛି। ଏଥିରେ ଡ୍ୟୁଟି କରୁଥିବା ଜଣେ ବ୍ୟକ୍ତିଙ୍କୁ ଲୋକେ ଧୋନୀ ବୋଲି ଭାବୁଛନ୍ତି। କାରଣ ତାଙ୍କର ଚେହେରା କିଛି ପରିମାଣରେ ଧୋନୀଙ୍କ ସହ ମିଶି ଯାଉଛି। ଏହି ବ୍ୟକ୍ତି ଜଣଙ୍କର ନାମ ବିବେକ୍ କୁମାର ଏବଂ ସେ ସିସିଏଲରେ ସହାୟକ ପ୍ରବନ୍ଧକ ପଦବୀରେ କାର୍ଯ୍ୟ କରନ୍ତି।

ବିବେକ୍ କୁମାର ଏବେ ରାଞ୍ଚିରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଡ୍ୟୁଟି କରୁଛନ୍ତି। ଏମଏସ୍ ଧୋନିଙ୍କ ପରି ଦେଖାଯାଉଥିବା ବିବେକଙ୍କ ସହ ଦେଖା କରିବା ପାଇଁ ଲୋକେ ସେଠାରେ ଗହଳି ଲଗାଉଛନ୍ତି ଏବଂ ତାଙ୍କ ସହ ଫଟୋ ଉଠାଉଛନ୍ତି। ବିବେକ କୁମାରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ତେବେ ଅରିଜିନାଲ ଧୋନୀଙ୍କ କଥା କହିଲେ ଚଳିତ ଆଇପିଏଲରେ ଆରମ୍ଭରୁ ଧୋନୀ ଚେନ୍ନାଇ ସୁପର କିଙ୍ଗସ୍ ର ଅଧିନାୟକ ପଦ ଛାଡ଼ି ଦେଇଥିଲେ। କିନ୍ତୁ ପରେ ସେ ପୁଣି ଥରେ ସେ ଅଧିନାୟକ ପଦ ସମ୍ଭାଳିଥିଲେ। କାରଣ ସିଜନ୍ ମଝିରେ ଜାଡେଜା ଅଧିନାୟକ ପଦ ଛାଡ଼ି ଦେଇଥିଲେ। ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ସିଜନ୍ ରେ ପଏଣ୍ଟ ଟେବୁଲର ଶେଷ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଥିଲା।

ତେବେ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଏହା ଯେ, ଧୋନୀ ଆଗାମୀ ଆଇପିଏଲ୍ ସିଜନ୍ ମଧ୍ୟ ଖେଳୁଥିବାର ଦେଖାଦେବେ। ସେ ନିଜେ ଏହି କଥାକୁ ସ୍ପଷ୍ଟ କରିଛନ୍ତି ଯେ, ସେ ଆଗାମୀ ସିଜନ୍ ରେ ଖେଳିବେ ଏବଂ ସେ ତାଙ୍କର ଶେଷ ମ୍ୟାଚ୍ ଚେନ୍ନାଇରେ ଖେଳିବାକୁ ପସନ୍ଦ କରିବେ।

 

Get real time updates directly on you device, subscribe now.