fbpx

ବଦଳିଗଲା ସ୍ୱର, ଟିକା ଲଗାଇବେ ଅଖିଳେଶ ଯାଦବ, କହିଲେ- ଏହା ଭାରତ ସରକାରଙ୍କ ଭ୍ୟାକ୍ସିନ

ଲଖନଉ : ଏହା ବିଜେପି ଭ୍ୟାକ୍ସିନ । ତେଣୁ ମୁଁ ଟିକା ନେବି ନାହିଁ । କରୋନାର ପ୍ରଥମ ଲହର ସମୟରେ ଏହି ମନ୍ତବ୍ୟ ଦେଇଥିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ । ହେଲେ ଦ୍ୱିତୀୟ ଲହରରେ ତାଙ୍କ ସ୍ୱର ବଦଳି ଯାଇଛି । ଯେଉଁ ବ୍ୟକ୍ତି ବିଜେପି ଟିକା କହି ଗୁଜବ ପ୍ରଚାର କରୁଥିଲେ ଏବେ ସେହି ଅଖିଳେଶ ଯାଦବ ଟିକା ନେବାକୁ ଆଗଭର ହେଉଛନ୍ତି । ଏପରିକି ଭ୍ୟାକ୍ସିନକୁ ବର୍ତମାନ ଭାରତ ସରକାରଙ୍କ ଭ୍ୟାକ୍ସିନ ବୋଲି କହୁଛନ୍ତି । କେବଳ ସେ ନୁହନ୍ତି ଏମିତି ଅନେକ ନେତା ଅଛନ୍ତି ଯେଉଁମାନେ ଟିକାକୁ ବିଜେପିର ଟିକା ବୋଲି କହୁଥିଲେ ।

ମୁଲାୟମ ସିଂହ ଯାଦବ କରୋନା ଟିକା ନେବା ପରେ ସମାଜବାଦ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ସ୍ୱର ବଦଳି ଯାଇଛି । କରୋନା ଭ୍ୟାକ୍ସିନକୁ ବିଜେପି ଭ୍ୟାକ୍ସିନ ଦର୍ଶାଉଥିବା ଅଖିଳେଶ ମଙ୍ଗଳବାର ଟ୍ୱିଟ୍ କରି ଟିକା ନେବେ ବୋଲି କହିଛନ୍ତି । ସେ ଲେଖିଛନ୍ତି ଜନ ଆକ୍ରୋଶକୁ ଦୃଷ୍ଟିରେ ରଖି ଏବଂ ରାଜନୀତିକରଣ ବଦଳରେ ଭାରତ ସରକାରଙ୍କ ଟିକା ନେବାକୁ ନିଷ୍ପତି ନେଇଛନ୍ତି । ଆମେ ବିଜେପି ଟିକାକୁ ବିରୋଧ କରୁଥିଲୁ କିନ୍ତୁ ଏବେ ଭାରତ ସରକାରଙ୍କ ଟିକାକୁ ସ୍ୱାଗତ କରୁଛୁ । ଯେଉଁ ଲୋକେ ଏ ପର୍ଯ୍ୟନ୍ତ ଟିକା ନେଇ ନାହାନ୍ତି ସେମାନଙ୍କୁ ମୁଁ ଟିକା ଲଗାଇବାକୁ ଅପିଲ୍ କରୁଛି ବୋଲି ଅଖିଳେଶ ଟ୍ୱିଟ୍ କରିଛନ୍ତି ।

 

ମୁଲାୟମ ସିଂହଙ୍କ ଟିକା ଲଗାଇବାର ଫଟୋ ଭାଇରାଲ ହେବା ମାତ୍ରେ ବିଜେପି ଆକ୍ଷେପ କରି କହିଥିଲା ଯେ, ଅଖିଳେଶ କହୁଛନ୍ତି ଟିକା ବିଜେପିର । କିନ୍ତୁ ଏବେ ମୁଲାୟମ ସିଂହ ଯାଦବ ବିଜେପି ଟିକା ନେଇଛନ୍ତି । କଣ ମୁଲାୟମ ବିଜେପିର ପ୍ରଚାର କରୁଛନ୍ତି ନା ନିଜ ପୁତ୍ରଙ୍କ ଦ୍ୱାରା ପ୍ରଚାରିତ ଭ୍ରମକୁ ଭାଙ୍ଗୁଛନ୍ତି । ଆପଣ ସ୍ଥିର କରନ୍ତୁ କିଏ ଠିକ୍ କରୁଛି ! ନଗର ଉନ୍ନୟନ ମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟିକା ନେଇଥିବାରୁ ମୁଲାୟମ ସିଂହଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ କହିଛନ୍ତି, ଆପଣ ଟିକା ନେବା ଏହା ପ୍ରମାଣିତ କରୁଛି ଯେ, ସମାଜବାଦ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭ୍ୟାକ୍ସିନକୁ ନେଇ ଅପ ପ୍ରଚାର କରିଥିଲେ । ଏଥିପାଇଁ ଅଖିଳେଶ ଯାଦବଙ୍କୁ କ୍ଷମା ମାଗିବା ଉଚିତ୍ ।

ସୂଚନାଯୋଗ୍ୟ, ଭ୍ୟାକ୍ସିନକୁ ବିଜେପିର ଟିକା କହି ଅଖିଲେଶ ଯାଦବ ଟିକା ନେବେ ନାହିଁ ବୋଲି କହିଥିଲେ । କିନ୍ତୁ କିଛି ସମୟ ପରେ ନିଜ ମନ୍ତବ୍ୟ ପ୍ରତ୍ୟାହାର କରି କହିଥିଲେ, ସଂପୂର୍ଣ୍ଣ ପରୀକ୍ଷା ପରେ ସେ କରୋନା ଟିକା ଲଗାଇବେ । କିନ୍ତୁ କରୋନାର ଦ୍ୱିତୀୟ ଲହର ପରେ ତାଙ୍କ ସ୍ୱର ବଦଳି ଯାଇଥିଲା । ସେ ସମସ୍ତ ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ବିଜେପ ସରକାରଠାରେ ଦାବି କରିଥିଲେ ।

Get real time updates directly on you device, subscribe now.