fbpx

ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ବାତିଲ୍ କଲା ପାକିସ୍ତାନ ଗସ୍ତ, କ୍ଷୁବ୍ଧ ଅଖତର କହିଲେ- ଟି-୨୦ ବିଶ୍ୱ କପରେ ଏହାର ପ୍ରତିଶୋଧ ନେବୁ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପରେ ଇଂଲଣ୍ଡ କ୍ରିକେଟ୍ ଦଳ ମଧ୍ୟ ନିଜର ପାକିସ୍ତାନ ଗସ୍ତ ବାତିଲ୍ କରିଛି । ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ଖେଳାଯିବାର କିଛି ସମୟ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳିବାକୁ ମନା କରିବା ସହ ଗସ୍ତ ବାତିଲ୍ ଘୋଷଣା କରିଥିଲା । ସେହି ଦିନ ହିଁ ଇଂଲଣ୍ଡ ଆଣ୍ଡ ୱେଲ୍ସ(ଇସିବି) କ୍ରିକେଟ୍ ବୋର୍ଡ ପାକିସ୍ତାନ ଗସ୍ତକୁ ନେଇ ଶୀଘ୍ର ନିଜର ନିଷ୍ପତ୍ତି ଶୁଣାଇବ ବୋଲି କହିଥିଲା । ସୋମବାର ହିଁ ଇସିବି ପାକିସ୍ତାନ ଗସ୍ତ ବାତିଲ୍ ଘୋଷଣା କରିଥିଲା । ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଖେଳାଳି ସୋଏବ ଅଖତର ଉତକ୍ଷୀପ୍ତ ହୋଇ ଉଠିଛନ୍ତି । ସେ କହିଛନ୍ତି ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ବୁଝିନେବା ଦରକାର ଯେ, ତା ସମର୍ଥନରେ କେହି ବାହାରିବେ ନାହିଁ ଏବଂ ନିଜ ପାଇଁ ଏବେ ଲଢିବାକୁ ପଡିବ । ଯଦି ସେ ପିସିବିର ମୁଖ୍ୟ ହୋଇଥାନ୍ତେ ତେବେ ଆଗାମୀ ସମୟରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇନଥାନ୍ତେ ।

ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ଆପଣ ଆମ ଦେଶର ଛବିକୁ ଖରାପ କରୁଛନ୍ତି । ଆପଣ ଏହା ଦେଖାଇବାକୁ ଚାହାନ୍ତି ଯେ, ପାକିସ୍ତାନର ଗୁଇନ୍ଦା ବିଭାଗ ଏବଂ ଆର୍ମି ଆମର ସୁରକ୍ଷା କରି ପାରିବେ ନାହିଁ । ମୁଁ ଯଦି ପିସିିବି ମୁଖ୍ୟ ହୋଇଥାନ୍ତି ତେବେ ଆଗାମୀ ସମୟରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇନଥାନ୍ତି ଏବଂ ସୁରକ୍ଷାର କାରଣ ଦର୍ଶାଇ ଥାଆନ୍ତି ।

ଅଖତର କହିଛନ୍ତି, ଟି-୨୦ ବିଶ୍ୱ କପରେ ପାକିସ୍ତାନର ପ୍ରଥମ ମୁକାବିଲା ଭାରତ ସହ ଅକ୍ଟୋବର ୨୪ ତାରିଖରେ ରହିଛି । ମାତ୍ର ତାଠୁ ବଡ ମୁକାବିଲା ଅକ୍ଟୋବର ୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବ । ପୂରା ଟିମ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇବାକୁ ପଡିବ । ପ୍ରଥମେ ପିସିବିକୁ ନିଜର ଦଳ ଚୟନ ଠିକରେ କରିବାକୁ ପଡିବ । ସେହି ତିନି ଚାରି ଜଣ ଖେଳାଳିଙ୍କୁ ସ୍ଥାନ ଦେବାକୁ ପଡିବ, ଯିଏ ବର୍ତ୍ତମାନ ବାହାରେ ଅଛନ୍ତି । ନିଜ କ୍ରୋଧ ବାହାର କରିବାର ଏହା ହେଉଛି ଉପଯୁକ୍ତ ସମୟ । ପାକିସ୍ତାନକୁ ଦଳକୁ ଏବେ ଏହା ହିଁ କରିବାକୁ ପଡିବ । ପାକିସ୍ତାନ ଏଥିରୁ ମଧ୍ୟ ଖରାପ ସମୟ ଦେଖି ସାରିଛି । ଆମେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବା ଏବଂ ଏହାର ପ୍ରତିଶୋଧ ବିଶ୍ୱ କପ୍ ଜିତି ନେବା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.